ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା;ସେପଟେ ଅଳ୍ପକେ ବଞ୍ଚିଗଲେ ହଜାର ହଜାର ଟ୍ରେନ ଯାତ୍ରୀ

Published By : Prameya-News7 Bureau | May 23, 2018 IST

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଆଜି ସକାଳୁ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ପାଖାପାଖି ୨ ଘଣ୍ଟା ଧରି ଜୋରରେ ବର୍ଷା ହୋଇଥିଲା । ବର୍ଷାରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ପାଖାପାଖି ୨ଘଣ୍ଟା ବର୍ଷାରେ ରାଜଧାନୀର ହାଲ୍ ବେହାଲ୍ । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଭୁବନେଶ୍ବର ସହ କଟକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ବର୍ଷା ସହ ପ୍ରବଳ ବେଗରେ ପବନ ମଧ୍ୟ ହୋଇଛି । କଟକର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଯାଜପୁରରେ ସର୍ବାଧିକ ୬୦.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭଦ୍ରକରେ ୨୮.୫ ମିଲିମିଟର, କଟକରେ ୧୫.୫ ମିଲିମିଟର, କେନ୍ଦୁଝରରେ ୧୩.୭ ମିଲିମିଟର ଏବଂ ମୟୁରଭଞ୍ଜରେ ୧୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ସାଢେ ୧୦ ଟାରୁ ସାଢେ ଗୋଟେ ପର୍ଯ୍ୟନ୍ତ ୬ଟି ଜିଲ୍ଲାରେ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେଗୁଡିକ ହେଲା ସମ୍ବଲପୁର, ଦେବଗଡ, ଗଜପତି, ରାୟଗଡା, କନ୍ଧମାଳ, ବଲାଙ୍ଗିର । ସେହିପରି ଢେଙ୍କାନାଳ, ଅନୁଗୋଳ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ ବାସିନ୍ଦାଙ୍କୁ ସାଢେ ୧୧ଟାରୁ ସାଢେ ଗୋଟେ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ସମୟରେ ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଅଳ୍ପକେ ବଞ୍ଚିଗଲେ ହଜାର ହଜାର ଟ୍ରେନ ଯାତ୍ରୀ । କାଳବୈଶାଖୀ ପ୍ରଭାବରେ ଆଜି ସାକାଳେ ପୁରୀ-କଟକ ପାସେଞ୍ଚର ଟ୍ରେନ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ଟ୍ରେନ ଉପରେ ଛିଣ୍ଡିପଡ଼ିଥିଲା ୩୩ କେଭି ବିଦ୍ୟୁତ ତାର । ଫଳରେ ଲିଙ୍ଗରାଜ ଷ୍ଟେସନ ପୂର୍ବରୁ ସରକନ୍ତରାରେ ଟ୍ରେନ ଅଟକି ରହିଥିଲା ।ତେବେ ଟ୍ରେନ ଉପରେ ଛିଣ୍ଡିଥିବା ତାରଟି ଆର୍ଥିଂ ହୋଇଥିବାରୁ କୌଣସି କ୍ଷୟକ୍ଷତି ହୋଇ ନାହିଁ । ପାସେଞ୍ଜର ଟ୍ରେନ ରାସ୍ତାରେ ଅଟକି ରହିବା ଦ୍ବାରା ସେହି ରୁଟର ଉଭୟ ଅପ ଓ ଡାଉନ ଲିଙ୍କରେ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । ଭୁବନେଶ୍ବର ଷ୍ଟେସନ ଓ ଜଟଣୀ ଷ୍ଟେସନରେ ବିଭିନ୍ନ ଟ୍ରେନ ଅଟକି ରହିଥିଲା । ହଜାର ହଜାର ଯାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଖବର ପାଇ ରେଲୱେ କର୍ତ୍ତୃପକ୍ଷ ଓ ସେସୁ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ବିଦ୍ୟୁତ ତାରକୁ ସଜାଡ଼ିଛନ୍ତି । ସଜାଡ଼ିବା ପରେ ଉଭୟ ଅପ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ବ ହୋଇଛି । ଡାଉନ ଲାଇନରେ ଖୁବଶୀଘ୍ର ରେଳ ଚଳାଚଳ ଆରମ୍ଭ ହେବ ବୋଲି ପୂର୍ବତଟ ରେଲୱେ କର୍ତ୍ତୃପକ୍ଷଙ୍କ ସୂଚନା । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ପୁରୁଣା ଶାସନ ଗାଁରେ ଅଘଟଣ । ବଜ୍ରପାତରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ କସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବଳ ବର୍ଷାପାଇଁ ବିଭିନ୍ନ ସ୍ଥାନରେ ଜଳବନ୍ଦି ପରିସ୍ଥିତି ସୃଷ୍ଟି ହୋଇଥିଲା । ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ କିଛି ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଆନନ୍ଦପୁର ସୋର ଥାନା ଅନ୍ତର୍ଗତ ଝଣଝଣା ଗାଁରେ ବଜ୍ରପାତରେ ୨ ବଖରା ଘର ଜଳି ଯାଇଛି । ବଜ୍ରପାତରେ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ହେଲେ ପୂର୍ଣ୍ଣିମା ବେହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.