ବର୍ଷାରେ ବେହାଲ୍ ଭଦ୍ରକ : ରାସ୍ତା ସାରା ପାଣିରେ ଉବୁଟୁବୁ
1/07/2019 at 6:38 PM

ଭଦ୍ରକ ୧/୭: ବର୍ଷାରେ ବେହାଲ୍ ଭଦ୍ରକ । ଏଠି ଅସରାଏ କାଚିଦେଲେ କଥା ସରିଲା । ରାସ୍ତା ସାରା ପାଣିରେ ଉବୁଟୁବୁ ।ବର୍ଷା ଆଗରୁ ଡ୍ରେନ୍ ସଫା ହୋଇନଥିବାରୁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । ସେପଟେ ଧାମରା ଥାନାରେ ବି ବର୍ଷା ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି ।

ଅସରାଏ କାଚିଦେଲେ କଥା ସରିଲା । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି । ଇଏ ଆଜ୍ଞା ଭଦ୍ରକ ସହରର ଚିତ୍ର । ଲୋକଙ୍କ ଘରେ ବି ପାଣି ପଶିଯାଇଛି । ସହରର କୁଆଁସ, ଅପର୍ତିବିନ୍ଧା , ବଙ୍କ ସାହି , ଅସ୍ତଳ , ଜଗନ୍ନାଥପୁର , ପୁରୁଣା ବଜାରର ଅବସ୍ଥା କହିଲେ ନସରେ ।ଡ୍ରେନରେ ଅଳିଆ ଆବର୍ଜନା ଭର୍ତ୍ତି । ବର୍ଷା ଆଗରୁ ସଫା ହେଲାନି ।ଆଉ ଏବେ ବର୍ଷା ହେବା ପରେ ରାସ୍ତା, ଡ୍ରେନ ସବୁ ଏବେ ଏକକାର । ଜିଲ୍ଲା ସ୍କୁଲର ଖେଳ ପଡିଆ ହ୍ରଦର ଭ୍ରମ ସୃଷ୍ଟି କରୁଛି । ଏହି ପାଣି ପାଇଁ ପିଲାଏ ସ୍କୁଲକୁ ଆସିପାରୁନାହାଁନ୍ତି । ଶ୍ରେଣୀ ଗୃହରେ ଉପସ୍ଥାନ ବହୁତ କମ୍ ।

ସେପଟେ ଅସରାଏ ବର୍ଷାରେ ଧାମରା ଥାନାରେ ପଶିଲା ପାଣି । ସବୁ ରୁମ୍ ରେ ପାଣି ଲହଡା ମାରୁଛି । ବର୍ଷା ପାଣି ପଶିଯିବାରୁ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । କର୍ମଚାରୀ ଶୁଖିଲାସ୍ଥାନକୁ ଜିନିଷପତ୍ର ବୋହି ନେଉଥିବା ଦେଖିବାକୁ ମିଳିଥିଲ । ଭଦ୍ରକ ସହର ଦେଇ ବୋହି ଯାଇଛ ସାଳନ୍ଦୀ ନଦୀ , ଆଉ ସେହି ନଦୀରେ ବି ଦଳ ଭର୍ତି । ସହରର ସବୁ ଡ୍ରେନ ଆସି ଏଇ ଦୀରେ ସଂଯୋଗ ହୋଇଛି । ତେଣୁ ଭଲକି କାଚିଲେ ଯାହା ହେବ ସେଇଆ ହେଇଛି ।

ଆଷାଢର ପହିଲି ବର୍ଷାରେ ଭଦ୍ରକ ସହରର ଅବସ୍ଥା ଏମିତି । ବେଳ ଥାଉ ଥାଉ ବ୍ୟବସ୍ଥା କରିଥିଲେ ଆଜି ଏମିତି ଭୋଗିବାକୁ ପଡ଼ିନଥାଆନ୍ତା।
