ଆସୁଛି ଆଉ ଏକ ଲଘୁଚାପ : ଆଜି ଠାରୁ ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | August 11, 2019 IST

ଭୁବନେଶ୍ବର ୧୧/୮: ଆସୁଛି ଆଉ ଏକ ଲଘୁଚାପ । ମୌସୁମି ଦୁର୍ବଳ ଥିବାରୁ ଏବେ ବର୍ଷା ବଦଳରେ ମୁଣ୍ଡଫଟା ଖରା ଦୁଇଦିନ ହେଲା ବେଶ୍ କଷ୍ଟ ଦେଉଛି । ମଝିରେ କେତେବେଳେ କେମିତି ଅସରାଏ ବର୍ଷି ଯାଉଛି, ନହେଲେ ତାତିରେ କାନମୁଣ୍ଡା ଝାଇଁଝାଇଁ ହେବା ଭଳି ଲାଗୁଛି । ଦିନବେଳା ତାପମାତ୍ରା ୩୫ ଡିଗ୍ରି ଭିତରେ ସୀମିତ ରହଥିଲେ ବି ତାତି ଯନ୍ତ୍ରଣାଦାୟକ ହେଉଛି । ଅସରାଏ ବର୍ଷାକୁ ସମସ୍ତେ ଚାହିଁ ବସିଛନ୍ତି ।  ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ  ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଆଜି ୯ଟି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦୁଇଦିନ ପରେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଦିନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଏହାର ପୂର୍ବ ଦିନରୁ ବର୍ଷା ହେବ । ଓଡ଼ିଶା ସମେତ ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ରେ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ।

ଲଘୁଚାପ ସକ୍ରିୟ ରହିଲେ ମୌସୁମି ବର୍ଷା ହେବ ଏବଂ ଚାଷ ପାଇଁ ଜଳାଭାବ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି। ରବିବାର ଦିନ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପୂର୍ବାନୁମାନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.