ଏହିସବୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ମୁମ୍ବାଇରେ ହାଇ ଆଲର୍ଟ ଜାରି

Published By : Prameya-News7 Bureau | June 12, 2021 IST

ନୂଆଦିଲ୍ଲୀ ୧୨।୬: ଦେଶର କେତେକ ରାଜ୍ୟରେ ଆଜି ପାଣିପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହା ବ୍ୟତୀତ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ମୌସୁମୀ ୧୨ ଦିନ ପୂର୍ବରୁ ଅର୍ଥାତ ଜୁନ୍ ୧୫ରେ ପହଞ୍ଚିବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ କୋଙ୍କଣ ଏବଂ ଗୋଆର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ପୂର୍ବ ମଧ୍ୟପ୍ରଦେଶରେ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ, ଗାଙ୍ଗୀୟ ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ମୁମ୍ବାଇର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଶନିବାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କୋଙ୍କଣ ତଥା ଗୋଆ ନିକଟ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ।

ମହାରାଷ୍ଟ୍ରର ରତ୍ନାଗିରି ଏବଂ ରାୟଗଡ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀରେ ଚଳିତବର୍ଷ ମୌସୁମୀ ୧୨ ଦିନ ଆଗୁଆ ଅର୍ଥାତ ୧୫ ଜୁନ୍ ରେ ଆସିପାରେ । ଆଇଏମଡିର ଜଣେ ଅଧିକାରୀଙ୍କ ଅନୁସାରେ ଏହା ପୂର୍ବରୁ ୨୦୦୮ରେ ମୌସୁମୀ ୧୫ ଜୁନ୍ ରେ ଦିଲ୍ଲୀରେ ପହଞ୍ଚିଥିଲା । ସେ କହିଛନ୍ତି ମୌସୁମୀ ସମୟ ପୂର୍ବରୁ ଆସିବା ହେତୁ ପରିସ୍ଥିତି ଅନୁକୂଳ ରହିବ । ଚଳିତବର୍ଷ ଜୁନ୍ ୧୫ରେ ମୌସୁମୀ ଦିଲ୍ଲୀରେ ପହଞ୍ଚିପାରେ । ଆଇଏମଡି ଅନୁସାରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

ଗାମୀ ୩ରୁ ୪ ଦିନ ମଧ୍ୟରେ ଏହା ଓଡିଶା, ଝାଡଖଣ୍ଡ, ଉତ୍ତର ଚଣ୍ଡିଗଡ ମୁହାଁ ହେବାର ସମ୍ଭାବନା ରହିଛି । ଆଇଏମଡି କହିଛି ଯେ, ଅନୁକୂଳ ମୌସୁମୀ ପରିସ୍ଥିତି କାରଣରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୫ରୁ ୬ଦିନ ମଧ୍ୟରେ ଦକ୍ଷିଣ ରାଜସ୍ଥାନ ଏବଂ ଗୁଜରାଟର କଚ୍ଛ ଅଞ୍ଚଳକୁ ଛାଡି ସାରା ଦେଶରେ ପହଞ୍ଚିବାର ସମ୍ଭାବନା ରହିଛି । ସ୍କାଇମେଟ୍ ଅନୁସାରେ ୨୦୧୩ରେ ମୌସୁମୀ ଜୁନ୍ ୧୬ ବେଳକୁ ଦେଶର ସମସ୍ତ ଭାଗକୁ ଛୁଇଁ ଯାଇଥିଲା । ଗତବର୍ଷ ଜୁନ୍ ୨୯ରେ ସାରା ଦେଶରେ ମୌସୁମୀ ପହଞ୍ଚି ସାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.