ପାକିସ୍ତାନରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ଗଲାଣି ୨୩୩ ଜୀବନ: ଇମ୍ରାନ ସରକାରଙ୍କୁ ଦାୟୀ କଲେ ଲୋକେ
7/09/2020 at 10:09 PM

ଇସ୍ଲାମାବାଦ ୦୭/୦୯: ପାକିସ୍ତାନ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଅଘଟଣ ଘଟି ୨୩୩ ଜଣଙ୍କ ଜୀବନ ଗଲାଣି । ଏନେଇ ପାକିସ୍ତାନର ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜ୍ମେଣ୍ଟ ଅଥରିଟି ପକ୍ଷରୁ ସୂଚନା ମିଳିଛି ।
୨୩୩ ମୃତକଙ୍କ ମଧ୍ୟରେ ୧୦୫ ଜଣ ପୁରୁଷ ଥିବା ବେଳେ ୩୯ ମହିଳା ଓ ୮୯ ଜଣ ଛୋଟ ପିଲା ସାମିଲ ଅଛନ୍ତି । ୧୯୫ ଜଣ ଖେବର-ପଖଥୁନୁଖ୍ବଆରେ ମୃତ୍ୟୁବରଣ କରିଥିବା ବେଳେ ସିନ୍ଧରୁ ୮୪, ବଲୁଚିସ୍ତାନରୁ ୧୯, ପଞ୍ଜାବ ୧୬, ଗିଲଗିତ-ବାଲିଟିସ୍ତାନ ୧୧ ଓ ପିଓକେରେ ୧୦ ଲୋକ ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଏବେ ପାକିସ୍ତାନରେ ଲାଗି ରହିଥିବା ବର୍ଷା ୯୦ ବର୍ଷର ରେକର୍ଡ ଭାଙ୍ଗିଛି । ପୂର୍ବ ବର୍ଷାରେ ପାକିସ୍ତାନ ସ୍ଥିତି ଯେତିକି ବେହାଲ ହୋଇଥିଲା ତା’କୁ ଟପିଯାଇଛି ଏଥର ବର୍ଷା । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ଜଳମଗ୍ନ ହୋଇଛି । ଦୋକାନ ବଜାରରେ ବର୍ଷା ପାଣି ପଶିବା କାରଣରୁ ଲୋକେ ବହୁ କ୍ଷତିର ସାମ୍ନା କରିଛନ୍ତି । ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ସେପଟେ ୩ ଦିନ ପାଓ୍ବାର କାଟ୍ ମଧ୍ୟ ହୋଇଛି। ତେବେ ଏତେ ସବୁ ଅସୁବିଧା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ଲୋକେ। କରାଚି ଡେଭେଲପ୍ମେଣ୍ଟ ଅଥରିଟିର ଭାଇସ୍ ଚେୟାରମ୍ୟାନ୍ କହିଛନ୍ତି, ସହରର ବିକାଶ ପ୍ରତି କରାଯାଇଥିବା ସାଲିସ୍ ପାଇଁ ଏଭଳି ସମସ୍ୟା ଉପୁଜିଛି । ସହରର ବିକାଶ ରାଜନୈତିକ ବ୍ୟକ୍ତିଙ୍କର କେବେ ବି ପ୍ରାଥମିକତାରେ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।