ଆସୁଛି ଆଉ ଦୁଇଟି ଲଘୁଚାପ : ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | August 26, 2019 IST

ଭୁବନେଶ୍ବର ୨୬/୮: ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଦାନା ବାନ୍ଧୁଛି । ପ୍ରଥମେ ୨୮ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୯ରୁ ଏହା ଲଘୁଚାପରେ ପରିଣତ ହେବ । ଏହାପରେ ସେପ୍ଟେମ୍ବର ୨ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ । ଦୁଇଟି ଯାକ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ବର୍ତ୍ତମାନ ଲଘୁଚାପ ପ୍ରଭାବରେ ଯେଉଁ ବର୍ଷା ହେଉଛି, ତା’ଠାରୁ ଅଧିକ ବର୍ଷା ଏହି ଦୁଇଟି ଲଘୁଚାପ ପ୍ରଭାବରେ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁନ୍ -ଜୁଲାଇରେ ରାଜ୍ୟରେ ସ୍ବଳ୍ପ ବୃଷ୍ଟି ଦେଖାଯାଇଥିବା ବେଳେ ଅଗଷ୍ଟ ଓ ସେପ୍ଟେମ୍ବରରେ ଏହା ଭରଣା ହେବ ବୋଲି ଆଶା କରାଯାଉଛି । ପାଣିପାଗ ବିଭାଗର କହିବା କଥା ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେଉଛି ।

ଆସନ୍ତାକାଲି ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅଭିମୁଖେ ଏହା ଗତି କରିବ । ଏହାପରେ ପଶ୍ଚିମମୁହାଁ ହୋଇ ମଧ୍ୟପ୍ରଦେଶ ଦେଇ ଗୁଜୁରାଟ ଯିବ । ହେଲେ ୨୮ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୬ ଓ ୨୭ ତାରିଖରେ ସାରା ରାଜ୍ୟରେ ପାଗ ମେଘୁଆ ରହିବ । ଯାଜପୁର-ସମ୍ବଲପୁର ସଂଲଗ୍ନ ସରଳରେଖାର ଉତ୍ତରରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

କେନ୍ଦୁଝର ଓ ମୟୂରଭଞ୍ଜରେ କିନ୍ତୁ ପ୍ରବଳ ବର୍ଷା ହେବ । ସେହିପରି ୨୮ରେ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା କମ୍ ଥିଲେ ହେଁ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ । ୨୯ରେ ସାରା ରାଜ୍ୟରେ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.