ପାକିସ୍ତାନରେ ବର୍ଷା ସାଜିଛି ଯମଦୂତ : ଦକ୍ଷିଣ ସିନ୍ଧ ପ୍ରଦେଶରେ ଲୋକେ ବାହାରି ପାରୁ ନହାନ୍ତି ଘରୁ, ୧୩୭ ମୃତ, ୧୬୧ ଆହତ

Published By : Prameya-News7 Bureau | August 20, 2019 IST

ଇସଲାମାବାଦ୨୦|୮: ପ୍ରବଳ ବର୍ଷା କାରଣରୁ ଗତ ଜୁଲାଇମାସ ପ୍ରଥମ ସପ୍ତାହରୁ ବର୍ତ୍ତମାନ ମଧ୍ୟରେ ପାକିସ୍ତାନରେ ୧୩୭ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୬୧ଜଣ ଆହତ ହୋଇଛନ୍ତି । ପାକିସ୍ଥାନ ପ୍ରକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶ ଏବଂ ବିଶେଷ କରି କରାଚିରେ ବର୍ଷାର ତାଣ୍ଡବ ଜାରୀ ରହିଛି । ଆସନ୍ତା ସୋମବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ଷା କାରଣରୁ କେବଳ କରାଚି ସହରରେ ୧୧ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ଖବରକାଗଜ ଅନୁସାରେ  ଘଣ୍ଟାକୁ ୧୯୨ ମିମି ହିସାବରେ ମୂଷଳଧାରରେ ବର୍ଷା ଜାରି ରହିଛି । ଫଳରେ ସମଗ୍ର ସହରରେ ଜଳବନ୍ଦୀ ଅବସ୍ତା ଉପୁଜିଛି । ଲୋକମାନେ ଘରୁ ପଦାକୁ ବାହାରିପାରୁନାହାନ୍ତି । ବିଜୁଳି ଆଘାତ ଏବଂ ଘର କାନ୍ଥପଡି ସର୍ବାଧିକ ମୃତ୍ୟୁ ହୋଇଥିବା ବିପର୍ଯ୍ୟୟ ମୁକାବିଲା ବିଭାଗ ସୂତ୍ରରୁ ଜଣାପଡିଛି ।

ଦକ୍ଷିଣ ସିନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ବର୍ଷାଜନିତ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ବହୁ ଲୋକ ବିସ୍ଥାପିତ ହୋଇଯାଇଛନ୍ତି । ବିସ୍ଥାପିତମାନଙ୍କ ପାଇଁ ଅସ୍ଥାୟୀ ଶିବିରର ବ୍ୟବସ୍ଥା କରାଯାଇଛି । ଅସ୍ଥାୟୀ ଶିବିରରେ ରନ୍ଧାଖାଦ୍ୟ, ବସ୍ତ୍ର ଓ ମେଡିସିନ ବ୍ୟବସ୍ଥା କରାଯାଇଛି ।

ବର୍ଷା କାରଣରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । କରାଚି ସହରର ୩୫ ପ୍ରତିଶତ ଅଂଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ସୂଚନାଯୋଗ୍ୟ ଯେ, ଚଳିତ ମୌସୁମୀ ଋତୁରେ କରାଚିରେ ଏହା ଦ୍ବିତୀୟ ପର୍ଯ୍ୟାୟ ଜଳବନ୍ଦୀ ତଥା ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଜୁଲାଇ ଶେଷ ସପ୍ତାହରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା । କେବଳ କରାଚୀ ସହରରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.