ଓଡିଶା ଛୁଇଁବା ପରେ ଦୁର୍ବଳ ହେଲା ମୌସୁମୀ ବାୟୁ, ୪୮ଘଣ୍ଟା ପରେ ବଢିପାରେ ବର୍ଷା ପରିମାଣ

Published By : Prameya-News7 Bureau | June 24, 2019 IST

ଭୁବନେଶ୍ବର ୨୪|୬: ଓଡିଶା ଛୁଇଁବା ପରେ ଦୁର୍ବଳ ହୋଇଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସାରା ଓଡିଶାକୁ ସ୍ପର୍ଶ କରିଥିଲେ ମଧ୍ୟ ଗତ ୧୨ ଘଣ୍ଟା ମଧ୍ୟରେ ସେଭଳି ବର୍ଷା ନାହିଁ । ମାଲକାନଗିରି ସମେତ ଉତ୍ତର ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ତେବେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡିଶା ଉପରେ ସେଭଳି ବର୍ଷାର ସମ୍ଭାବନା ନାହିଁ । କାଳବୈଶାଖୀ ପ୍ରଭାବରେ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଝଡବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଏବେ ଛତିଶଗଡରେ ପହଞ୍ଚିଛି । ଏଥିସହ ଓଡିଶା ଉପର ଦେଇ ଏକ ଟ୍ରପ୍ ଲାଇନ୍ ଯାଇଛି । ଯେଉଁଥିପାଇଁ ବର୍ଷାର ପରିମାଣ କମିଛି । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ । ୪୮ଘଣ୍ଟା ପରେ ବର୍ଷା ପରିମାଣ ବଢିପାରେ ।

୨୬ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁରରେ ସ୍ବଳ୍ପ ବର୍ଷା ହୋଇପାରେ । ତେବେ ଜୁନ୍ ୩୦ ଯାଏଁ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.