ଉବୁଟୁବୁ କଟକ : ସମସ୍ତ ଆଗୁଆ ସୂଚନା ସତ୍ତ୍ବେ ସିଏମସି ଓ ପ୍ରଶାସନ ପଦକ୍ଷେପ ନନେବାରୁ ହେଲା ସ୍ଥିତି ବେହାଲ
12/10/2018 at 5:22 PM

କଟକ ୧୨|୧୦: ଗଲା ୨ମାସରେ ତୃତୀୟ ଥର ପାଇଁ ଜଳବନ୍ଦୀ ହୋଇଛି କଟକ ସହରର ପ୍ରାୟ ୮୦ ଭାଗ ଅଂଚଳ । ପୂର୍ବଥର ଯାହା ଥିଲା ଥିଲା ଏଥର କିନ୍ତୁ ସମସ୍ତେ ମିଳିମିଶି କଟକ ସହରକୁ ବୁଡାଇଦେଇଛନ୍ତି । ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରିଥିଲା । କେବଳ ପୂର୍ବାନୁମାନ କରିନଥିଲା ବରଂ ଜିଲ୍ଲା ପ୍ରଶାସନ ଆଉ ସିଏମସିକୁ ଆଗୁଆ ସତର୍କ ବି କରାଇଥିଲା । ପ୍ରବଳ ବର୍ଷା ନେଇ କଟକକୁ ରେଡ୍ ଫ୍ଲାଗ୍ ସତର୍କ ସୂଚନା ମଧ୍ୟ ଦିଆଯାଇଥିଲା । ଗଲାକାଲି ସଂଧ୍ୟାରୁ ବର୍ଷାର ପରିମାଣକୁ ଦେଖି ସହରରୁ ଜଳ ନିସ୍କାସନ ପାଇଁ ଥିବା ଗେଟ୍ ଗୁଡ଼ିକୁ ଠିକ୍ ସମୟରେ ଖୋଲାଯାଇନଥିଲା, ପରିଣାମ ସ୍ବରୂପ ବର୍ଷା ପାଣିରେ ବୁଡ଼ିଗଲା କଟକ ସହର ।
ଅଚାନକ ପ୍ରବଳ ବର୍ଷା ଏମିତି କଟକକୁ ବୁଡ଼ାଇଦେଇନି । ବରଂ ଏଥର ପ୍ରଶାସନର ଅବହେଳା ହିଁ କଟକ ସହରକୁ ବୁଡାଇ ଦେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଆଉ ସତର୍କତା ସତ୍ତ୍ବେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲା କଟକର ଶାସନ ଆଉ ପ୍ରଶାସନ । ଗୁରୁବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା, ରାତି ତମାମ ବର୍ଷିଥିଲା । ଆଉ ଭୋର୍ ବେଳକୁ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା । ବର୍ଷା ବଢ଼ିବା ସହ ବଢୁଥିଲା ଲୋକଙ୍କ ଦୁର୍ଦ୍ଦଶା । ହେଲେ ନା’ ଜିଲ୍ଲାପାଳ, ନା’ ସିଏମସି କମିଶନର ନା’ କଟକ ମେୟର କାହାରି ନିଦ ଭାଙ୍ଗିଲାନି । ବର୍ଷାର ପରିମାଣକୁ ଦେଖି ଠିକ୍ ସମୟରେ ସହରରୁ ଜଳ ନିଷ୍କାସନ ପାଇଁ ଥିବା ମାତୃଭବନ ଆଉ ଖାନ ନଗର ଗେଟ୍ ଖୋଲା ଯାଇ ନଥିଲା । ସାରା ସହର ପାଣିରେ ଉବୁଟୁବୁ ହେବା ପରେ ରାତି ୨ଟାରେ ଖୋଲାଯାଇଥିଲା ମାତୃ ଭବନ ଗେଟ୍ । କଟକ ସହରର ଏଭଳି ଅବସ୍ଥାକୁ ନେଇ ମେୟର ମିନାକ୍ଷୀ ବେହେରା ଆଉ ଚୌଦ୍ବାର କଟକ ବିଧାୟକ ପ୍ରଭାତ ରଞନ ବିଶ୍ବାଳ ଖାଲି ଦେଇଥିଲେ ।
ଭୋର ୫ଟା ବେଳକୁ ଆମ ରିପୋର୍ଟର ସିଏମସି କମିଶନଙ୍କୁ ଫୋନ୍ କରି ସହରର ସ୍ଥିତି ପଚାରିଥିଲେ । ତାଙ୍କର ଜବାବ୍ ଥିଲା, ସହରରେ ସେମିତି କିଛି ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇନି । ସେହିଭଳି ସାଢ଼େ ୫ଟା ବେଳକୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ କହିଲେ ରାତି ୨ଟାରେ ସେ ଗେଟ୍ ଖୋଲିଦେଇଛନ୍ତି । ଅବସ୍ଥା ସ୍ବାଭାବିକ ଅଛି । ହେଲେ ରାତି ପାହି ସକାଳ ହେଲା ବେଳକୁ ସହରର ପ୍ରଭାବିତ ସ୍ଥାନରେ ଆମ ରିପୋର୍ଟର ପହଞ୍ଚିବା ପରେ ସାମ୍ନାକୁ ଆସିଥିଲା ଅସଲ ଚିତ୍ର । ଜଳ ଜଳ ହୋଇ ଦେଖାଯାଉଥିଲା ପ୍ରଶାସନର ଅବହେଳା ଆଉ ଦାୟିତ୍ବହୀନତା ।
ଗତ ୨ମାସ ଭିତରେ ତୃତୀୟ ଥର ପାଇଁ କଟକରେ ଏଭଳି ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ତଥାପି ନା’ ଶାସନ ନା’ ପ୍ରଶାସନ ସମସ୍ତେ ଯେମିତି କଟକବାସୀଙ୍କୁ ନିଜ ହାଲରେ ଛାଡ଼ି ଦେଇ ଚୁପ୍ ହୋଇ ବସିପଡ଼ିଛନ୍ତି । ବର୍ତ୍ତମାନ ଜଳବନ୍ଦୀ କଟକର ଚିତ୍ର ଏୟା ହିଁ ବୟାନ କରୁଛି ।