ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଆଲର୍ଟ : ଆଉ ଏକ ବାତ୍ୟାର ଆଶଙ୍କା ,୬ଟି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ
30/10/2019 at 12:24 PM

ନୂଆଦିଲ୍ଲୀ ୩୦/୧୦: ମୌସୁମୀ ଋତୁ ସରିବା ପରେ ମଧ୍ୟ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଲାକ୍ଷାଦ୍ବୀପରେ ୨ଦିନ ପାଇଁ ରେଡ ଆଲର୍ଟ ଜାରି କରିଛି। କେରଳର ୬ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତ୍ରିଶୂର ଏବଂ ପଲକ୍କଡ଼ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ପୂର୍ବାନୁମାନ ଜାରି କରୁଥିବା ସଂସ୍ଥା ସ୍କାଏମେଟର ରିପୋର୍ଟ ମୁତାବକ ତାମିଲନାଡ଼ୁ,କେରଳ,ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ଲାକ୍ଷାଦ୍ବୀପର କେତେକ ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏହା ବ୍ୟତୀତ ପୁଡ୍ଡୁଚେରୀ,କରାଇକଲ,ଉପକୂଳସ୍ଥ ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ମରାଠଓ୍ବାଡ଼ା,କୋଙ୍କଣ,ଗୋଆ ଏବଂ ମାହୀରେ ଝଡ଼-ତୋଫାନ ସହ ବର୍ଷା ହୋଇପାରେ।

ତାମିଲନାଡ଼ୁର ୬ଟି ଜିଲ୍ଲା ତୁତିକୋରିନ,ଥେନି,ବିରୁଧନଗର,ଭେଲ୍ଲୋର ଏବଂ ରାମନାଥପୁରମ୍)ରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଦ୍ଦେଶ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ଆରବ ସାଗରର ପଶ୍ଚିମ ମଧ୍ୟ ତଟୀୟ ଅଞ୍ଚଳରେ ୧୭୦କିଲୋମିଟର ବେଗରେ ପବନ ବୋହିବ। ଏହା ବ୍ୟତୀତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ପାଣିପାଗ ବିଭାଗ ଏହି ଅଞ୍ଚଳର କେଉଟଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରିଛନ୍ତି।

ଆରବ ସାଗରରେ ଚତୁର୍ଥ ଚକ୍ରବାତ ହେବାର ଆଶଙ୍କା ସୃଷ୍ଟି ହେଉଛି। ଯଦି ଆରବ ସାଗରରେ ଚକ୍ରବାତୀ ଝଡ଼ ସୃଷ୍ଟି ହୁଏ ତେବେ ଏହାର ନାଁ ‘ମହା’ ହେବ।
