ବଙ୍ଗୋପସାଗରରେ ଲଘୁଚାପ : ବଡ ଧରଣର ବର୍ଷା ସମ୍ଭାବନା

Published By : Prameya-News7 Bureau | July 22, 2021 IST

ଭୁବନେଶ୍ବର ୨୨।୭: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ଓଡ଼ିଶା ଉପକୂଳରେ ଏହି ଲଘୁଚାପର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ଥିବାବେଳେ ଶନିବାର ଅପରାହ୍ନ ସୁଦ୍ଧା ଏହା ଉତ୍ତର ଆଡକୁ ମୁହାଁଇ ବିହାର ଅଭିମୁଖେ ଯିବ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି । ଏହାର ପ୍ରଭାବରେ ଜୁଲାଇ ୨୨ ତାରିଖ ରାତିରୁ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, ଯାଜଯୁର, କେନ୍ଦ୍ରାପଡା, ଢ଼େଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନ୍‌ପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡା ଏବଂ ରାୟଗଡା ପ୍ରଭୃତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି ।

ସେହିପରି ଜୁଲାଇ ୨୮ ତାରିଖ ବେଳକୁ ବାଂଲାଦେଶ ଏବଂ ଏହାର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବା ବେଳେ ଏହା ଉତର ପଶ୍ଚିମ ଦିଗ ଆଡକୁ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଆଡକୁ ମୁହାଁଇବ ବୋଲି ଜଣାପଡ଼ିଛି । ଏହାର ପ୍ରଭାବ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ବୁଲେଟିନ୍‌ରେ କୁହାଯାଇଛି ।

ଏହାର ପ୍ରଭାବରେ ଜୁଲାଇ ୨୮ ତାରିଖ ଅପରାହ୍ଣରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଅନୁଗୁଳ ଓ ଯାଜପୁର ପ୍ରଭୃତି ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବୁଲେଟିନ୍‌ରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.