Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ୫ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା

1/08/2019 at 9:05 AM

ଭୁବନେଶ୍ବର ୧|୮: ଉତ୍ତରପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୪ ତାରିଖ ବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଫଳରେ ଅଗଷ୍ଟ ୭ ଯାଏଁ ସାରା ଓଡ଼ିଶାରେ ବର୍ଷା ଲାଗିରହିବ। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶା ଅପେକ୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ  ରହିବ ।

୫ ଜିଲ୍ଲାକୁ ବର୍ଷା ଯୋଗୁଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁରରେ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ତେବେ ୨ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବ। ଅଗଷ୍ଟ ୩ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶା, ୪ ତାରିଖରେ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୮ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ଦୁଇ ଦିନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ସେପଟେ ଜୁଲାଇ ମାସରେ ସ୍ବାଭାବିକଠାରୁ ୯ ପ୍ରତିଶତ କମ୍ ବର୍ଷା ହୋଇଛି । ୧୭ ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୩୯ ପ୍ରତିଶତ କମ୍ ବର୍ଷା ହୋଇଛି । ସାମଗ୍ରୀକ ଭାବେ ମୌସୁମୀ ଋତୁରେ ସ୍ବାଭାବିକଠାରୁ ୧୭.୭ ପ୍ରତିଶତ କମ୍ ବର୍ଷା ହୋଇଛି । ୯୮ଟି ବ୍ଲକରେ କମ୍ ବର୍ଷା ହୋଇଥିବା ବେଳେ ୬ଟି ବ୍ଲକରେ ସ୍ଥିତି ସଂଗୀନ ରହିଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାରେ ମରୁଡ଼ି ସ୍ଥିତି ଉପୁଜିବା ଆଶଙ୍କା ରହିଛି ।

   Related Posts