କେଉଁଠି ମୃତ୍ୟୁ ତ କେଉଁଠି ଫାଶୀ: ଏହି ଦେଶରେ ଡ୍ରଗ୍ସ ସହ ଧରା ହେଲେ ବଞ୍ଚିବା ମୁସ୍କିଲ, ମିଳିଥାଏ କଠୋର ଦଣ୍ଡ

Published By : Prameya-News7 Bureau | October 04, 2021 IST

ନୂଆଦିଲ୍ଲୀ ୦୪/୧୦ : ବଲିଉଡ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମୁମ୍ବାଇରେ କ୍ରୁଜ ପାର୍ଟି ଅଭିଯୋଗରେ କଷ୍ଟଡିରେ ଅଛନ୍ତି | ତାଙ୍କୁ ପଚରାଉଚୁରା ଜାରି ରହିଛି। ଗତ କିଛି ସମୟ ହେଲା ଭାରତରେ ଯୁବପିଢ଼ି ଡ୍ରଗ୍ସ ସେବନ କରିବାର ଚଳଣି ବଢ଼ିବାରେ ଲାଗିଛି। ସରକାର ଓ ଏଜେନ୍ସି ଲଗାତାର ଡ୍ରଗ୍ସ କାର୍ଟେଲଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି ଯେଉଁମାନେ ଯୁବପିଢ଼ିଙ୍କୁ ନିଶା ବିଷ ଦେଉଛନ୍ତି। ଡ୍ରଗ୍ସକୁ ନେଇ ଆଇନ ବି ବହୁତ ଦୃଢ। କିନ୍ତୁ ଏହାକୁ ଠିକ ଭାବେ ଲାଗୁ କରାଯିବା ଭାରତରେ ବହୁତ ଜରୁରୀ। ବିଶ୍ୱରେ ଏମିତି କିଛି ଦେଶ ଅଛି ଯେଉଁଠି ନିଶା ବିରୋଧରେ ଶକ୍ତ ଆଇନ ରହିଛି ଏବଂ ଅଭିଯୋଗ ପ୍ରମାଣିତ ହେଲେ କଠୋର ଦଣ୍ଡ ମଧ୍ୟ ମିଳିଥାଏ। 

ମାଲେସିଆରେ ଡ୍ରଗ୍ସ ବିକୁଥିବା ଲୋକଙ୍କୁ ମୃତ୍ୟୁ ଦଣ୍ଡ ମିଳିଥାଏ। ଯଦି କୌଣସି ବ୍ୟକ୍ତି ପାଖରୁ ଡ୍ରଗ୍ସ ମିଳେ ତାହେଲେ ତାଙ୍କୁ ଜରିମାନା ସହ ଜେଲ ଦଣ୍ଡ ମଧ୍ୟ ହୋଇପାରେ କିମ୍ବା ନିର୍ବାସିତ ମଧ୍ୟ କରାଯାଇପାରେ। ମଦ ସେବନ କରି ଗାଡି ଚଲାଇଲେ ମଧ୍ୟ ଏଠାରେ କଠୋର ଦଣ୍ଡ ମିଳେ।

ଇରାନ ସରକାର ଡ୍ରଗ୍ସ ସହ ଜଡିତ ଅପରାଧରେ କଠୋର ଦଣ୍ଡ ଦେଇଥାନ୍ତି। ଏଠାରେ ସବୁଠାରୁ ବଡ ସମସ୍ୟା ଅଫିମ ସେବନ ସହ ଜଡିତ। କାରଣ ଏହାର ଉତ୍ପାଦନ ପଡୋଶୀ ଦେଶ ଆଫଗାନିସ୍ତାନରେ ହୁଏ। ଇରାନରେ ଯଦି କିଏ ଡ୍ରଗ୍ସ ସହ ଧରାହୁଏ ତାହେଲେ ଭାରି ଜରିମାନା ଲଗାଯାଏ। କିଛି ମାମଲାରେ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଏ।

ଉତ୍ତର କୋରିଆରେ ବହୁତ କମ ଲୋକ ବୁଲିବାକୁ ଯାଆନ୍ତି। ଏଠାକୁ ଡ୍ରଗ୍ସ ନେବା କଡାକଡି ଭାବେ ପ୍ରତିବନ୍ଧିତ। ଯଦି କିଏ ଡଜରହୁଏ ତେବେ ତାଙ୍କୁ ବହୁ ଦିନ ଯାଏଁ କ୍ୟାମ୍ପରେ କଏଦ କରି ରଖାଯାଏ। କ୍ୟାମ୍ପରେ ରହୁଥିବା ଲୋକେ ପରିବାର ଓ ବନ୍ଧୁଙ୍କୁ ଯୋଗାଯୋଗ କରିପାରିବେ ନାହିଁ।

ଚୀନରେ ଯଦି କିଏ ଡ୍ରଗ୍ସ ସହ ଧରାହୁଏ ତାହେଲେ ତାଙ୍କୁ ସରକାରଙ୍କ ଦ୍ୱାରା ଚଲାଯାଉଥିବା ନିଶା ମୁକ୍ତ କେନ୍ଦ୍ରକୁ ପଠାଇ ଦିଆଯାଏ। ଡ୍ରଗ୍ସ ସହ ଜଡିତ ଅନ୍ୟ ମାମଲାରେ ମୃତ୍ୟୁ ଦଣ୍ଡ ଦିଆଯାଏ।

ତୁର୍କୀରେ ନିଶା ଦ୍ରବ୍ୟ ସହ ଧରାହେଲେ ବହୁ ପରିମାଣର ଜରିମାନା ଓ ଜେଲ ଦଣ୍ଡ ମିଳିଥାଏ। ଡ୍ରଗ୍ସ ବିକିଲେ ଜରିମାନା ଓ ଆହୁରି କଠୋର ଦଣ୍ଡ ମିଳିଥାଏ।

ଭିଏତନାମରେ ଯଦି କିଏ ୧.୩ ପାଉଣ୍ଡରୁ ଅଧିକ ହେରୋଇନ ସହ ଧରାହୁଏ ତାହେଲେ ତାକୁ ଫାଶୀ ଦଣ୍ଡ ଦିଆଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.