ଆଲାସ୍କାରେ ୮.୨ ମ୍ୟାଗ୍ନିଚ୍ୟୁଡର ଶକ୍ତିଶାଳୀ ଭୂକମ୍ପ: ସୁନାମି ନେଇ ଚେତାବନୀ ଜାରି

Published By : Prameya-News7 Bureau | July 29, 2021 IST

ଆଲାସ୍କା ୨୯/୦୭ : ଆମେରିକାର ଆଲାସ୍କା ଉପଦ୍ୱୀପରେ ସ୍ଥାନୀୟ ସମୟ ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ୮.୨ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହି ସୂଚନା ଦେଇଛି। USGS ରିପୋର୍ଟ କରିଛି ଯେ ଭୂକମ୍ପର ଗଭୀରତା ୪୫ କିଲୋମିଟର ତଳେ ଥିଲା। ତେବେ କମ୍ପନ ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଭୂକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଛି।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରାତି ୧୧ଟା ୧୫ ମିନିଟରେ ପୃଥିବୀ ପୃଷ୍ଠରୁ ୨୯ ମାଇଲ ତଳେ ଏହି ଭୂକମ୍ପ ଅନୁଭବ କରିଥିଲା। ଏହାର ପ୍ରଭାବ କେନ୍ଦ୍ରଠାରୁ ବହୁ ଦୂରରେ ହୋଇଛି। USGS ଅନୁଯାୟୀ, ପରେ ଅତିକମରେ ଆଉ ଦୁଇଟି ଝଟକା ହୋଇଥିଲା, ଯାହାର ତୀବ୍ରତା ୬.୨ ଏବଂ ୫.୬ ବୋଲି କୁହାଯାଇଛି। ଗତ ସାତ ଦିନ ମଧ୍ୟରେ, ଏହି ଅଞ୍ଚଳର ୧୦୦ ମାଇଲ ମଧ୍ୟରେ ୩ ରୁ ଅଧିକ ମ୍ୟାଗ୍ନିଚ୍ୟୁଡର କୌଣସି ଭୂକମ୍ପ ହୋଇନାହିଁ।

ଏହି ଭୂକମ୍ପ ଝଟକା ପରେ ଦକ୍ଷିଣ ଆଲାସ୍କା, ଆଲାସ୍କାର ଉପଦ୍ୱୀପ ଏବଂ ଏଲେୟୁଟିୟନ୍ ଦ୍ୱୀପରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ଏହା ବ୍ୟତୀତ ଗୁଆମ ଏବଂ ହାୱାଇରେ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ଲୋକଙ୍କୁ ଉପକୂଳଠାରୁ ଏକ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।

ଆଲାସ୍କା ପ୍ରଶାନ୍ତ ରିଙ୍ଗ ଅଫ୍ ଫାୟାରରେ ଆସିଥାଏ, ଯାହା ଭୂକମ୍ପ କାର୍ଯ୍ୟକଳାପରେ ଅତ୍ୟନ୍ତ ସକ୍ରିୟ ବୋଲି କୁହାଯାଏ। ମେ ୩୧ ତାରିଖ ରାତିରେ ଆଲାସ୍କାର ତାଲକେଟନା ପର୍ବତ ଅଞ୍ଚଳରେ ୬.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ସୋମବାର ସକାଳ ପର୍ଯ୍ୟନ୍ତ ସାମାନ୍ୟ କମ୍ପନ ଜାରି ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.