ରାମ ମନ୍ଦିର ନିର୍ମାଣ ପାଇଁ ବର୍ଷୁଛି ଧନ, ସଂଗ୍ରହ ହେଲାଣି ୫ ହଜାର କୋଟି ଟଙ୍କା : ବିଦେଶରୁ ନିଧି ସଂଗ୍ରହ ପାଇଁ ଚାଲିଛି ଯୋଜନା

Published By : Prameya-News7 Bureau | June 13, 2021 IST

ଅଯୋଧ୍ୟା ୧୩/ ୦୬ : ଅଯୋଧ୍ୟାରେ ଦୃତଗତିରେ ଚାଲିଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଏହା ସହିତ ମନ୍ଦିର ନିର୍ମାଣ ପାଇଁ ଦେଶ ବିଦେଶରୁ ଧନ ବର୍ଷା ମଧ୍ୟ ହେଉଛି । ମନ୍ଦିର ନିର୍ମାଣ ପାଇଁ ଆରମ୍ଭ କରାଯାଇଥିବା ସମର୍ପଣ ନିଧି ଅଭିଯାନରେ ସାରା ଦେଶରୁ ସହାୟତାର ସୁଅ ଛୁଟୁଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦୦ କୋଟି ଟଙ୍କାର ନିଧି ସଂଗ୍ରହ ହୋଇସାରିଲାଣି । ଏହି ଅର୍ଥରାଶି ମଧ୍ୟରୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଯୋଧ୍ୟା ବ୍ରାଞ୍ଚରେ ୫୦୦ କୋଟି ଟଙ୍କାର ଫ୍ରିକ୍ସ ଡିପୋଜିଟ କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ବିଦେଶରେ ରହୁଥିବା ରାମ ଭକ୍ତମାନଙ୍କ ପାଇଁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଭାରତ ବାହାରେ ରହୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ମଧ୍ୟ ଟ୍ରଷ୍ଟକୁ ଅର୍ଥରାଶି ମିଳିବାର ସମ୍ଭାବନା ରହିଛି ।

ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ପ୍ରକାଶ ଗୁପ୍ତା କହିଛନ୍ତି ଯେ, 'ଏହି ଅଭିଯାନରୁ ଆମ ପାଖକୁ ଆସିଥିବା ପାଣ୍ଠି ମଧ୍ୟରୁ କେବଳ ୫୦୦ କୋଟି ଟଙ୍କା ଏଫଡି ( ଫିକ୍ସ ଡିପୋଜିଟ୍) କରାଯାଇଛି । ଯାହା ମାଧ୍ୟମରେ ମନ୍ଦିର ଟ୍ରଷ୍ଟକୁ କିଛି ପରିମାଣର ସୁଧ ମଧ୍ୟ ଆସିବ । ଏହି ଟଙ୍କା କରେଣ୍ଟ ଆକାଉଣ୍ଟରେ ଜମା କରାଯାଇଛି ଯେଉଁଥିରୁ କୌଣସି ଆୟ ହେଉନାହିଁ । ତେଣୁ ୫ ଶହ କୋଟି ଟଙ୍କା ସ୍ଥାୟୀ ଜମା କରିବା ପରେ ବ୍ୟାଙ୍କ ପକ୍ଷରୁ କିଛି ସୁଧ ମଧ୍ୟ ମିଳିବ । ମୋଟ ମିଳିଥିବା ଅର୍ଥରାଶି ମଧ୍ୟରୁ କେବଳ ୧୦ ପ୍ରତିଶତ ସ୍ଥାୟୀ ଜମା କରାଯାଇଛି । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବର୍ତ୍ତମାନ ସୁଦ୍ଧା ରାମ ମନ୍ଦିର ନିର୍ମାଣ ପାଇଁ ୫ ହଜାର କୋଟି ଟଙ୍କାର ନିଧି ସଂଗ୍ରହ ହୋଇସାରିଛି ।


ସୂଚାଯୋଗ୍ୟ, ୨୦୨୧ ଜାନୁଆରୀ ୧୫ରୁ ଫେବୃଆରୀ ୨୭ ପର୍ଯ୍ୟନ୍ତ ସାରା ଦେଶରେ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଥିଲା । ବିଶେଷ କଥା ହେଉଛି, ଦେଶର ଅନେକ ସ୍ଥାନରେ ମୁସଲମାନମାନେ ମଧ୍ୟ ଏହି ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ । ପାଣ୍ଠି ସଂଗ୍ରହ ଅଭିଯାନ ଶେଷ ହେବା ପରେ ଜିଲ୍ଲା ସ୍ତରରେ, ସଂଗୃହିତ ପାଣ୍ଠିର ଅଡିଟ୍ କାର୍ଯ୍ୟ ସାରା ଦେଶରେ ଆରମ୍ଭ ହୋଇଥିଲା । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଥିଲା ଯେଉଁଥିରେ ଅନେକ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ସାମିଲ ଥିଲେ । ତେବେ ଅଡ଼ିଟ୍ ର ଅନ୍ତିମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.