ଉପକୂଳରୁ ପଶ୍ଚିମ ଓଡିଶା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି

Published By : Prameya-News7 Bureau | June 18, 2018 IST

ଅଧା ରାଜ୍ୟ ଜଳୁଛି । ଉପକୂଳରୁ ପଶ୍ଚିମ ଓଡିଶା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଡହ ଡହ ଖରାକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଆଗାମୀ ପାଞ୍ଚ ଦିନ ପାଇଁ ରାଜ୍ୟରେ ଏପରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ସେହିପରି ଆଜି ମଧ୍ୟ ୮ଟି ଜିଲା ପାଇଁ ହିଟ୍ୱେଭ୍ ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ଆଉଟୁ ପାଉଟ ହୋଉଥିବା ବେଳେ ଏଭଳି ସ୍ଥିତି ଆଉ ୫ ଦିନ ଲାଗି ରହିବ ବୋଲି ଅନୁମାନ କରାଯାଇଛି । ଗତ ୩ ଦିନ ହେଲା ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ ବି ଅସହ୍ୟ ତାତି ଅନୁଭୂତ ହେଉଛି। ରବିବାର ରାଜ୍ୟର ୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ୱରରେ ସର୍ବାଧିକ ୪୨.୩ ଡିଗ୍ରୀ ରେକର୍ଡ଼ କରାଯାଇଛି । ତେବେ କିଛିଟା ଆଶା ଦେଖାଇଛି ପାଣିପାଗ ବିଭାଗ । ଦୁର୍ବଳ ହୋଇ ଯାଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ଆସନ୍ତା ୫ରୁ ୬ଦିନ ଭିତରେ ପୁଣି ଥରେ ସକ୍ରିୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁନ୨୩-୨୪ରୁ ଓଡିଶା ସହ ପୂର୍ବ ଭାରତରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.