Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ମାସ ଶେଷ ଯାଏଁ ତାତିରୁ ଆଶ୍ୱସ୍ତି : ଆସନ୍ତା ଦୁଇ ଦିନ ରାଜ୍ୟରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା

22/04/2020 at 7:50 AM

ଭୁବନେଶ୍ୱର ୨୨।୦୪: ଆଜି ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଅପରପକ୍ଷେ ଆସନ୍ତା ଦୁଇ ଦିନ ରାଜ୍ୟରେ ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ପୂର୍ବାନୁମାନ କରିଛି । ତେବେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତିରୁ ମିଳିବ ଆଶ୍ୱସ୍ତି ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।

ବୁଧବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଗଜପତି, କୋରାପୁଟ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି । ଅପରପକ୍ଷେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ମଙ୍ଗଳବାର ତୁଳନାରେ କାଳବୈଶାଖୀ ପ୍ରକୋପ କମିବ । ମାତ୍ର ରାଜ୍ୟର ଉପରୋକ୍ତ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ପୁଣି ୨୪ ତାରିଖରୁ କାଳବୈଶାଖୀ ବର୍ଷା ବଢ଼ିବ । ଯାହା ୨୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ଆକଳନ କରିଛନ୍ତି । ବଙ୍ଗୋପସାଗରରୁ ଉପକୂଳ ଆଡକୁ ବୋହୁଥିବା ପବନରେ ଜଳୀୟ ବାଷ୍ପ ଥିବାରୁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ବୁଧବାର ରାଜ୍ୟର ସବୁ ସ୍ଥାନରେ ତାପମାତ୍ରା କମ ରହିବ । ଉପକୂଳ ଓଡ଼ିଶାରେ ୩୩ରୁ ୩୭ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୩୮ରୁ ୪୦ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବ । ତେବେ ମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ବିଶେଷ ବଢ଼ିବାର ସମ୍ଭାବନା ନାହିଁ । ମାସ ଶେଷ ଆଡକୁ ରାଜ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ । କାଳବୈଶାଖୀ ବର୍ଷାର ପ୍ରକୋପ ବଢ଼ିବ ବୋଲି ଶ୍ରୀ ସାହୁ ଆକଳନ କରିଛନ୍ତି ।

ମଙ୍ଗଳବାର ସକାଳ ୮ଟା୩୦ରୁ ଅପରାହ୍ନ ୫ଟା ୩୦ ମଧ୍ୟରେ ଫୁଲବାଣୀରେ ୫୮ ମିଲିମିଟର ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୧୧ ମିଲିମିଟର, କଟକରେ ୧୪ ମିଲିମିଟର, ବାରିପଦାରେ ୧୦ ମିଲିମିଟର, କେନ୍ଦୁଝରରେ ୧୮ ମିଲିମିଟର, ଭବାନୀପାଟଣାରେ ୧୪ ମିଲିମିଟର ବର୍ଷା ହୋଇଛି । ସେହିପରି ଦାରିଙ୍ଗବାଡ଼ି, ଚାନ୍ଦବାଲି, ଭୁବନେଶ୍ୱର, ପୁରୀ, ଗୋପାଳପୁର ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମାଲକାନଗିରି ଓ ସୋନପୁରରେ ୪୦.୫ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

   Related Posts