ଆଜିବି ରାଜ୍ୟରେ ଜାରି ରହିବ ଅସହ୍ୟ ତାତି, ୭ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
28/05/2019 at 8:10 AM

ଭୁବନେଶ୍ବର ୨୮|୫: ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ସକାଳ ୮ଟା ବେଳକୁ ମାଡି ଆସୁଛି ଖରା । ଅପରାହ୍ନ ୪ଟା ପର୍ଯ୍ୟନ୍ତ କଲବଲ କରୁଛି । ଗତ ଦୁଇ ସପ୍ତାହ ହେଲା ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଆଜିବି ଲାଗି ରହିବ ସମାନ ସ୍ଥିତି । ଖରା ପାଇଁ ଦିନ ୧୦ଟା ପରେ ରାସ୍ତା ଘାଟ ଖାଁ ଖାଁ ଲାଗୁଛି । ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ।
ଆହୁରି ୨୪ ଘଣ୍ଟା ତାତିବ ଆଭ୍ୟନ୍ତରୀଣ ଓଡିଶା । ଏଥିପାଇଁ ୭ଟି ଜିଲ୍ଲା ପାଇଁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୭ଟି ଜିଲ୍ଲା ହେଲା ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ବରଗଡ, ନୂଆପଡା, ବଲାଙ୍ଗିର, ଅନୁଗୋଳ । ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ପଶ୍ଚିମ ଦିଗରୁ ପବନ ବହୁଥିବାରୁ ତାତି ଅନୁଭୂତ ହେଉଛି ।
ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡିଶାରେ କାଳବୈଶାଖୀ ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କନ୍ଧମାଳରେ ପବନ ସାଙ୍ଗକୁ ବର୍ଷା ହେବ ।