ରାଜ୍ୟରେ ବଢୁଛି ତାତି : ଆସନ୍ତା ୨୬ ତାରିଖ ଯାଏଁ ୫ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ

Published By : Prameya-News7 Bureau | May 24, 2020 IST

ଭୁବନେଶ୍ବର ୨୪।୫: ରାଜ୍ୟରେ ବଢୁଛି ତାତି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ସ୍ଥିତି ଏବେ ସାଂଘାତିକ । ପାରଦ ୪୨ରୁ ୪୫ ଡିଗ୍ରୀ ଭିତରେ ରହୁଛି । ଟିଟିଲାଗଡରେ ଶନିବାର ପୁଣି ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ୨୬ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତିରୁ ନିସ୍ତାର ମିଳିବନାହିଁ । ୫ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ ଓ ଅନୁଗୋଳରେ ଆସନ୍ତା ୩ ଦିନ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ପାଣିପାଗ ବିଭାଗ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରିଛି ।

ଶନିବାର ରାଜ୍ୟର ୧୨ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ ପଛକୁ ଭବାନୀପାଟଣାରେ ତାତି ୪୪.୨ ଡିଗ୍ରୀରେ ପହଞ୍ଚିଥିଲା । ତାଳଚେର ୪୩.୮, ବଲାଙ୍ଗିର ୪୩.୫, ମାଲକାନଗିରି ୪୩ ଡିଗ୍ରୀ ରହିଥିଲା । ସମ୍ବଲପୁର, ଝାରସୁଗୁଡା, ହୀରାକୁଦ, ପାରଳାଖେମୁଣ୍ଡି, ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିଥିଲା । ପଶ୍ଚିମ ପଟୁ ତତଲା ପବନ ବହୁଥିବାବେଳେ ଉପକୂଳ ଓଡିଶାରେ ତାତି ପ୍ରକୋପ କମ୍‌ ଥିଲା । କଟକରେ ୩୫.୪ ଓ ଭୁବନେଶ୍ବରରେ ୩୫.୫ ଡିଗ୍ରୀ ଛୁଇଁଥିଲା ତାପମାତ୍ରା । ଅନ୍ୟପଟେ ସୋମବାର ଦକ୍ଷିଣ ଓଡିଶାରେ କାଳବୈଶାଖୀ ସମ୍ଭାବନା ଅଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସଙ୍କ ଆକଳନ ଅନୁଯାୟୀ, ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଞ୍ଚଳରେ ଗ୍ରୀଷ୍ମ ପ୍ରକୋପ ଆଉ ୩-୪ ଦିନ ଅଧିକ ରହିବ । ଏଥିପାଇଁ ସତର୍କତା ପଦକ୍ଷେପ ନେବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.