ଖରାରେ ଅସ୍ତବ୍ୟସ୍ତ ଅଧା ଓଡ଼ିଶା : ୨-୩ ଦିନ ବଢିବ ତାପମାତ୍ରା ,୧୭ରୁ କାଳବୈଶାଖୀ ସମ୍ଭାବନା

Published By : Prameya-News7 Bureau | April 14, 2020 IST

ଭୁବନେଶ୍ୱର ୧୪।୦୪: ପାରଦ ଉପରମୁହାଁ । ଖରାରେ ଅସ୍ତବ୍ୟସ୍ତ ଅଧା ଓଡ଼ିଶା । ଭୁବନେଶ୍ୱର ଓ ଟିଟିଲାଗଡ଼ ରାଜ୍ୟରେ ସବୁଠୁ ଉତ୍ତପ୍ତ । ଉଭୟ ସହରରେ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ୍‌ ଲେଖାଏଁ ରେକର୍ଡ ହୋଇଛି । ମୋଟ ୧୨ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ପୂର୍ବାନୁମାନ କହୁଛି, ରାଜ୍ୟରେ ଆଉ ୨-୩ ଦିନ ତାପମାତ୍ରା ଏଭଳି ଅଧିକ ରହିବ । ଫଳରେ ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଗରମ ପ୍ରକୋପ ଜାରି ରହିବ । ତେବେ କେତେକ ଜାଗାରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ମଧ୍ୟ ଅଛି । ୧୭ରୁ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି । ଏଥିଯୋଗୁ ଗରମ ପ୍ରକୋପ କମିବ ।

ସୋମବାର ଭୁବନେଶ୍ୱର ଓ ଟିଟଲାଗଡ଼ ପଛକୁ ବଲାଙ୍ଗିର ତାପମାତ୍ରା ୪୧.୨, ବାରିପଦା ୪୧, ଚାନ୍ଦବାଲି ୪୦.୭, ଅନୁଗୁଳ ୪୦.୭, ତାଳଚେର ୪୦.୫, ବୌଦ୍ଧରେ ୪୦.୫, ବୌଦ୍ଧରେ ୪୦.୫, ମାଲକାନଗିରିରେ ୪୦.୨, କଟକରେ ୪୦.୧, ନୟାଗଡ଼ରେ ୪୦, ପାରଳାଖେମୁଣ୍ଡିରେ ୪୦, ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଲକ୍‌ଡାଉନ୍‌ ଯୋଗୁ ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ ବନ୍ଦ ଥିବାବେଳେ ଲୋକେ ଘରେ ରହୁଛନ୍ତି । ବାହାରେ ଟାଣ ଖରା ପ୍ରକୋପରୁ ଲୋକେ ବର୍ତ୍ତିଥିଲେ ମଧ୍ୟ ଗରମ ବଢ଼ିଥିବାରୁ ଘରେ ରହିବା କଷ୍ଟକର ହୋଇପଡ଼ିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ୱାସଙ୍କ ପୂର୍ବାନୁମାନ ହେଲା, ଆଜି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ମଙ୍ଗଳବାର ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ପାଖାପାଖି ରହିବ । ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ପ୍ରକୋପ ପୂର୍ବଭଳି ରହିବା ସମ୍ଭାବନା ଅଛି । ତେବେ ୧୫ ତାରିଖରେ ଉପକୂଳ ଓଡ଼ିଶାରେ ପାରଦ ସାମାନ୍ୟ କମିପାରେ । ୧୭ରୁ କାଳବୈଶାଖ ବଢ଼ିବ । ତେଣୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଖସି ଆସିପାରେ । ପାରଦ ୩୮ ଡିଗ୍ରୀ ପାଖାପାଖି ରହିବ । ଆଜି (ମଙ୍ଗଳବାର) ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଏ ନେଇ ୭ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.