Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ : ତ୍ରାହି ତ୍ରାହି ଡାକିଲେଣି ପଶ୍ଚିମ ଓଡ଼ିଶାବାସୀ, ବଲାଙ୍ଗିରରେ ପାରଦ ୪୫ଡିଗ୍ରୀ ଉପରେ

13/05/2019 at 9:22 AM

ଭୂବନେଶ୍ୱର ୧୩\୫ : ଟାଇଁ ଟାଇଁ ଖରା । ଆକାଶରୁ ବର୍ଷୁଛି ଅଗ୍ନି । ବହୁଛି ଝାଞ୍ଜି ପବନ । ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଲେଣି ଲୋକେ । ଗତ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାରେ ତାତି ଏତେ ବଢିଛି ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ବଲାଙ୍ଗିରରେ ପାରଦ ଲଗାତାର ୪୫ଡିଗ୍ରୀ ଉପରେ ରହୁଛି । ଏଥିପାଇଁ ଲୋକେ ବ୍ୟାପକ ମାତ୍ରାରେ ଗଛ କଟାକୁ ଦାୟୀ କରିଛନ୍ତି ।

ଉପକୂଳ ଓଡ଼ିଶା ବ୍ୟତୀତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତ ୪ ଦିନ ଅପେକ୍ଷା  ଅଧିକାଂଶ ସହରରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ତଥାପି ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ୪୪ ଡିଗ୍ରୀ ଉପରେ ରହୁଥିବା ଟିଟିଲାଗଡ଼ ତାପମାତ୍ରା ୪୩.୫ ଡିଗ୍ରୀକୁ ଖସିଛି। ତେବେ କୋରାପୁଟ ତାପମାତ୍ରା ବହୁ ପରିମାଣରେ କମିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କାଳବୈଶାଖୀ ପ୍ରଭାବରେ ୫୪.୪ ମିମି ବର୍ଷା ହେବା ଯୋଗୁଁ ଦିନର ସର୍ବୋଚ୍ଚ ତାପମାତ୍ରା ୩୪.୬ ଡିଗ୍ରିକୁ ଖସି ଆସିଥିଲା  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ ଉତ୍ତର ସମେତ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।

ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡ଼ା ଓ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ । ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

   Related Posts