Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫୋନି ପରେ ଏବେ ତାତି କଲାଣି କଲବଲ, ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି

10/05/2019 at 11:38 AM

ଭୁବନେଶ୍ବର ୧୦|୫: ବାତ୍ୟା ଫୋନି ତ ଯାହା କଲବଲ କଲା କଲା, ହେଲେ ତା ପରର ଅବସ୍ଥା ଏବେ ଯେମିତି ସହିବାର ସବୁ ସୀମା ଟପିଗଲାଣି । ବିଶେଷ କରି ସୂର୍ଯ୍ୟଙ୍କ କୋପ ଲୋକମାନଙ୍କୁ ଯେମିତି ରକ୍ତର ଅଶ୍ରୁ ବୁହାଇବାକୁ ଏକରକମ ବାଧ୍ୟ କଲାଣି । ବିଜୁଳି ବିନା ଲୋକମାନେ ଅସହ୍ୟ ଗୁଳିଗୁଳିରେ ଭାଜି ହେଉଛନ୍ତି । ଉଭୟ ପୁରୀ ଏବଂ ଭୁବନେଶ୍ବରରେ ଏବେ ସ୍ଥିତି ଘର ବୁଡ଼ି ପାଣି ଆଣ୍ଠୁଏ ।

ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ବିଶେଷ କରି ଫୋନି ପରେ ଭୁବନେଶ୍ବର ଓ ପୁରୀରେ ସ୍ଥିତି ଘର ବୁଡ଼ି ପାଣି ଆଣ୍ଠୁଏ । ପାରଦ ୪୦ ଡିଗ୍ରୀ ଆଖପାଖରେ ରହୁଥିଲେ ମଧ୍ୟ ଅନୁଭବ କିନ୍ତୁ ୫୦ ଡିଗ୍ରୀ ଉପରେ । ଗତକାଲି ଭୁବନେଶ୍ବରରେ ତାପମାତ୍ରା ୩୮ ଡିଗ୍ରୀ ଥିବା ବେଳେ ୫୩ ଡିଗ୍ରୀ ଉର୍ଦ୍ଧ୍ବରେ ଥିବା ଭଳି ଅନୁଭବ ହେଉଥିଲା । ସେହିପରି ପୁରୀରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ଅନୁଭବ କିନ୍ତୁ ଥିଲା ୫୧ ଡିଗ୍ରୀର । ଫୋନିରେ ସବୁଜିମା ଉଜୁଡ଼ି ଯିବା ପରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଏତିକିବେଳେ ବିଜୁଳି ନାହିଁ ଫ୍ୟାନ ଚାଲୁନି, ବିଞ୍ଚଣା ଦୋକାନରେ ଭିଡ଼।

ସେପଟେ ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗରମ। ଝାରସୁଗୁଡ଼ା, ତାଳଚେର, ବଲାଙ୍ଗିରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଲୋକେ ଆଉଟୁପାଉଟୁ ହେଉଛନ୍ତି । ତତଲା କଢ଼େଇରେ ଭାଜି ହେଉଛନ୍ତି ଲୋକେ । ତେବେ ଏଥିରେ ଲୁଣ ଛିଟା ମାରିବା ପରି ଆହୁରି ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୧୯୯୯ ପରେ ଜଗତ୍‌ସିଂହପୁର କେନ୍ଦ୍ରାପଡ଼ା ସବୁଜିମା ସୃଷ୍ଟି ପାଇଁ ପାଖାପାଖି ୨୦ ବର୍ଷ ଲାଗିଥିଲା । ଏବେ ଫୋନି ସବୁକିଛି ଉଜାଡ଼ି ଦେଇଥିବାରୁ ସ୍ଥିତି କେବେ ସ୍ବାଭାବିକ ହେବ ତାହା ଦଇବଙ୍କୁ ହିଁ ଜଣା ।

   Related Posts