ଖାଲି ଦିନ ନୁହେଁ, ରାତିବେଳା ବି ହେବ ଭୀଷଣ ଗରମ ; ୭ ପରେ ପାଗରେ ଆସିବ ପରିବର୍ତ୍ତନ

Published By : Prameya-News7 Bureau | April 03, 2024 IST

ଭୁବନେଶ୍ୱର ୦୩।୦୪ : ବୁଧବାରଠାରୁ ରାଜ୍ୟରେ ହିଟ୍‌ୱେଭ ବା ଗ୍ରୀଷ୍ମପ୍ରବାହ ବହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ଅସ୍ତବ୍ୟସ୍ତ କରିବ ଗ୍ରୀଷ୍ମପ୍ରବାହ । ୪ ତାରିଖରୁ ୮ରୁ ୧୦ଟି ଜିଲ୍ଲାର ଲୋକେ ହିଟ୍‌ୱେଭ ପ୍ରଭାବରେ ନାକେଦମ୍‌ ହେବେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଖାଲି ଦିନ ନୁହେଁ, ରାତିବେଳା ବି ଭୀଷଣ ଗୁଳଗୁଳି ହେବ । ରାତିରେ ସ୍ୱାଭାବିକଠାରୁ ପ୍ରାୟ ୫ରୁ ୬ ଡିଗ୍ରୀ ଅଧିକ ତାପମାତ୍ରା ଅନୁଭୂତ ହେବ । ୪ରୁ ୬ ତାରିଖ ଯାଏ ତାତି ୨ରୁ ୩ ଡିଗ୍ରୀ ବଢ଼ିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି । ୪ରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ସମେତ କଟକ, ନୟାଗଡ଼, ବୌଦ୍ଧ ଓ କନ୍ଧମାଳରେ ଗ୍ରୀଷ୍ମପ୍ରବାହ ବହିବ । ୬ତାରିଖ ଯାଏ ଏହାର ପ୍ରଭାବ ରହିବ । ବୁଧବାର ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର, କନ୍ଧମାଳ ଓ ନୟାଗଡ଼ରେ ଉଷ୍ମରାତି ସ୍ଥିତି ରହିବା ଯୋଗୁ ପ୍ରବଳ ଗୁଳଗୁଳି ଅନୁଭୂତ ହେବ । ୬ ତାରିଖ ଯାଏ ରାତିବେଳା ଅସମ୍ଭାଳ ଗୁଳୁଗୁଳି ହେବ । ମଙ୍ଗଳବାର ବି ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ତାତି ଅନୁଭୂତ ହୋଇଥିଲା । ଦିନ ସାଢ଼େ ୧୧ଟାରୁ କେନ୍ଦୁଝରରେ ତାତି ୩୭ଡିଗ୍ରୀ ଛୁଇଁ ଯାଇଥିଲା । ଭୁବନେଶ୍ୱର, ଝାରସୁଗୁଡ଼ା ଓ ବାଲେଶ୍ୱରରେ ୩୬.୪ ଡିଗ୍ରୀ ରହିଥିଲା । ସମ୍ବଲପୁରରେ ୩୬, ହୀରାକୁଦରେ ୩୫.୪, ରାଉରକେଲାରେ ୩୫.୨, ପୁରୀରେ ୩୨ଡିଗ୍ରୀ ଟପି ଯାଇଥିଲା । ଦିନ ସାଢ଼େ ୨ଟା ବେଳକୁ ତାତି ଆହୁରି ପ୍ରଖର ହୋଇଥିଲା । ୭ ସହରରେ ତାପମାତ୍ରା ୪୧ ଡିଗ୍ରୀ ବା ଏହାଠାରୁ ଅଧିକ ରହିଥିଲା । ମାଲକାନଗିରିରେ ସର୍ବାଧିକ ୪୧.୭ ଡିଗ୍ରୀ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ୪୧.୫, ବୌଦ୍ଧରେ ୪୧.୪, ଭବାନୀପାଟଣାରେ ୪୧.୨, ନୟାଗଡ଼, ବଲାଙ୍ଗୀର ଓ ତାଳଚେରରେ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ ହୋଇଛି । 

ସେହିପରି ୩ରୁ ୬ ତାରିଖ ଯାଏ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଯୋଗୁ ପ୍ରବଳ ଗରମ ହେବ । ୭ରେ ଦୁଇ ଦିନ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୮ରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର କାଁ ଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.