ବାହାନା କରି ପିଲାମାନଙ୍କୁ ଛାତକୁ ନେଇଗଲା ମହିଳା, ଜଣ ଜଣ କରି ୫ ଜଣଙ୍କୁ ତଳକୁ ଫୋପାଡ଼ିଦେଲା

Published By : Prameya-News7 Bureau | November 01, 2020 IST

ନୂଆଦିଲ୍ଲୀ ୦୧/୧୧:​‌ ମଣିଷର ମାନସିକତା ଧିରେ ଧରେ ତଳସ୍ତରକୁ ଖସିବାକୁ ବସିଲାଣି ! ନିଜର ହିତାହିତ ଜ୍ଞାନ ବି ଭୁଲୁଛି ଆଜିର ଆଧୁନିକ ମଣିଷ। କ୍ରୋଧ ସମ୍ବରଣ କରିବା​‌ରେ କିଛି ଲୋକ ବିଫଳ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଛାତିଥରା ଘଟଣା ଘଟିଛି ଝାଡ଼ଖଣ୍ଡର ସାହିବଗଞ୍ଜରେ।

ଟିଭି ଦେଖୁଥିବା ଛୋଟ ପିଲାଙ୍କୁ ବାହାନା କରି ଦୁଇ ମହଲା ଛାତକୁ ନେଇଯାଇଥିଲା ଜଣେ ମହିଳା। ସେଠାରୁ ଜଣ ଜଣ କରି ସବୁ ପିଲାଙ୍କୁ ତଳକୁ ଫୋପାଡ଼ି ଦେଇଥିଲା। ଏଭଳି ଏକ ଘଟଣାରେ ଦୁଇ ପିଲାଙ୍କ ସହ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ବିହାରୀ ଲାଲ ମଣ୍ଡଳ ଭବନରେ କିଛି ପିଲା ଟିଭି ଦେଖୁଥିଲେ। ସେଠାକୁ ଜଣେ ପଡ଼ୋଶୀ ମହିଳା ଆସି ସେମାନଙ୍କୁ ଦୁଇ ମହଲା କୋଠାର ଛାତକୁ ଡାକି ନେଇଥିଲା। ସେଠାରୁ ଜଣ ଜଣ କରି ସବୁପିଲାଙ୍କୁ ତଳକୁ ଫୋପାଡ଼ିଥିଲା। ତେବେ ଏହା ଦେଖି ତଳେ ଥିବା ଶର୍ମିଳା ନାମକ ଜଣେ ଯୁବତୀ ପିଲାଙ୍କୁ ଧରିନେଇଥିଲେ ସୁଦ୍ଧା ଦୁଇ ପିଲା ଅଂଶ କୁମାର ମଣ୍ଡଳ ଓ ଆୟୁଷ କୁମାର ଗୁରୁତର ହୋଇଛନ୍ତି। ପିଲାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁବକ ବୁଧନ ମଣ୍ଡଳ ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି।

ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଅଂଶ କୁମାରଙ୍କୁ ରେଫର କରିଛନ୍ତି। ଉପସ୍ଥିତ ଲୋକଙ୍କ କହିବା ଅନୁସାରେ ସେଠାରେ ୧୦ ଜଣ ପିଲା ଥିଲେ ତାଙ୍କ ମଧ୍ୟରୁ ୫ ଜଣଙ୍କୁ ମହିଳା ଛାତରୁ ତଳକୁ ଫିଙ୍ଗିଥିଲେ।

ଖବର ପାଇ ଏସଡିପିଓ ବିଜୟ ଆଶିଷ କୁଜୁର ଓ ନଗର ଥାନା ଏଏସଆଇ ପ୍ରମୋନ କୁମାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମହିଳା ଜଣଙ୍କ ମାନସିକ ସ୍ତରରେ ଅସୁସ୍ଥ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.