କିଡ୍‌ନୀ ଦେଇ ଦୁଇ ଜଣଙ୍କ ଜୀବନ ବଞ୍ଚାଇଲେ ସୁଚିତ୍ରା, ବେକାର ଗଲା ହାର୍ଟ ଓ ଲିଭର

Published By : Prameya-News7 Bureau | February 27, 2020 IST

ଭୁବନେଶ୍ବର ୨।୨: ଆପୋଲୋ ହସ୍ପିଟାଲରେ ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ଘୋଷଣା ହୋଇଥିଲେ ଭୁବନେଶ୍ବରର ସୁଚିତ୍ରା ଦାଶ । ଏହାପରେ ତାଙ୍କର ଦୁଇଟି କିଡନୀ କଢ଼ାଯାଇ ଆପୋଲୋ ଓ ଆମ୍ରି ହସ୍ପିଟାଲରେ ଥିବା ଦୁଇଜଣ ରୋଗୀଙ୍କ ଶରୀରରେ ଲଗାଯାଇଛି । ଆପୋଲୋରେ ଏହା ହେଉଛି ଦ୍ବିତୀୟ କାଡାଭରିକ୍ ପ୍ରତିରୋପଣ ।

ତେବେ ଆପୋଲୋ କର୍ତ୍ତୃପକ୍ଷଙ୍କ ଅସହଯୋଗ କାରଣରୁ ସୁଚିତ୍ରାଙ୍କ ହାର୍ଟ ଓ ଲିଭର ବେକାର ଯାଇଛି । କୀଡନୀ ସହ ସୁଚିତ୍ରାଙ୍କ ଶରୀରରୁ ଲିଭର୍ ଓ ହାର୍ଟ ବାହାରିଥାଆନ୍ତା । ବିମାନରେ ଏହାକୁ ନେଇ କଲିକତାରେ ଦୁଇ ଜଣ ରୋଗୀଙ୍କଠାରେ ପ୍ରତିରୋପଣ ହବାର ଥିଲା । କିନ୍ତୁ ଆପୋଲୋ କର୍ତ୍ତୃପକ୍ଷ ଷ୍ଟେଟ୍ ଅରଗାନ୍ ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ ବା ସୋଟୋକୁ ସହଯୋଗ କଲେନି । ଫଳରେ ସୁଚିତ୍ରାଙ୍କ ଶରୀରରୁ ଲିଭର ଓ ହାର୍ଟ କଢାଯାଇ ଅନ୍ୟ ଦୁଇ ଜଣଙ୍କଠାରେ ପ୍ରତିରୋପଣ ଯୋଜନା ଫସର ଫାଟିଛି ।

ସୂଚନାଯୋଗ୍ୟ ଯେ, ଦିନ ୧୨ଟା ୧୫ରେ ଆପୋଲୋ ହସ୍ପିଟାଲ ସୁଚିତ୍ରାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କଲେ । ସାଢେ ଗୋଟାଏରେ ଏନେଇ ସୋଟୋକୁ ଅବଗତ କରାଗଲା । ସୋଟୋ ନୋଟାକୁ ଏସମ୍ପର୍କରେ ଖବର ଦେଲେ । ଓଡ଼ିଶାରେ କିଡନୀ ଛଡ଼ା ଅନ୍ୟ ଅଙ୍ଗ ପ୍ରତିରୋପଣର ବ୍ୟବସ୍ଥା ନଥିବାରୁ ଦେଶର ଅନ୍ୟ ସ୍ଥାନକୁ ସୁଚିତ୍ରାଙ୍କ ହାର୍ଟ ଓ ଲିଭର ପଠାଯିବାର ବ୍ୟବସ୍ଥା କରିବାକୁ କୁହାଗଲା । ଏନେଇ କଲିକତାର ଦୁଇଟି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଥିବା ବେଳେ ଆପୋଲୋ ହସ୍ପିଟାଲ ଆବଶ୍ୟକ କାଗଜପତ୍ର ଦେଇନଥିବା ସୂଚନା ମିଳିଛି । ଫଳରେ ସୁଚିତ୍ରାଙ୍କ ହାର୍ଟ ଓ ଲିଭର ବେକାର ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.