ସ୍ବାମୀଙ୍କ ମୃତ୍ୟୁ ଆଶଙ୍କାରେ ୪ମହଲା ଛାତରୁ ଡେଇଁଲେ ଗର୍ଭବତୀ : ମାଆ,ଯମଜ ସନ୍ତାନ ପରେ ସ୍ବାମୀଙ୍କ ମୃତ୍ୟୁ

Published By : Prameya-News7 Bureau | November 27, 2018 IST

ମଧ୍ୟପ୍ରଦେଶ ୨୭/୧୧: ନିମୋନିଆରେ ପୀଡ଼ିତ ଥିବା ସ୍ବାମୀଙ୍କ ସ୍ଥିତି ବିଗିଡ଼ିବା ଖବର ଶୁଣି ୭ମାସର ଗର୍ଭବତୀ ଥିବା ମହିଳା ଏକ ନିର୍ମାଣାଧୀନ କୋଠାର ୪ମହଲାରୁ ଡେଇଁ ପଡ଼ିଛନ୍ତି। ପଡ଼ୋଶୀ ତାଙ୍କୁ ହସ୍ପିଟାଲ୍ ନେଇ ଯାଇଥିଲେ। ସେଠାରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଏବଂ ତା’ପରେ ପ୍ରାଣ ହାରିଥିଲେ। ୩ଘଣ୍ଟା ପରେ ଦୁଇ ନିଷ୍ପାପ ଶିଶୁ ଆଖି ଖୋଲିବା ପୂର୍ବରୁ ଦୁନିଆ ଛାଡ଼ି ଚାଲିଯାଇଥିଲେ। କିଛି ସମୟ ଭେଣ୍ଟିଲେଟର ଚାଲିବା ପରେ ସ୍ବାମୀଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ଭାଇଙ୍କ କହିବାନୁସାରେ ମହିଳାଜଣକ ଭାବିଲେ ଯେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି ସେଥିପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ। ଏହି ହୃଦୟବିଦାରକ ଘଟଣାଟି ଗତକାଲି କୋଲାରର ସ୍ବରୂପ ସାଇନାଥ ନଗରରେ ଦ୍ବିପ୍ରହର ୨ଟା ବେଳେ ଘଟିଥିଲା। ଏଠାରେ ୩୭ବର୍ଷ ବୟସ୍କ ମନୋଜ ଗୋହେ ତାଙ୍କ ପତ୍ନୀ ଗାୟତ୍ରୀଙ୍କ ସହ ରହୁଥିଲେ। ମନୋଜ କାର୍ ଫାଇନାନ୍ସରେ କାମ କରୁଥିଲେ। ଦୁଇଜଣ ୧୦ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ନଭେମ୍ବର ୧୨ତାରିଖରେ ମନୋଜ କାଶ ଓ ଜ୍ବର ଚେକ୍ ଅପ୍ କରିବାକୁ ବଂସଲ୍ ହସ୍ପିଟାଲ୍ ପହଞ୍ଚିଥିଲେ। ସମସ୍ୟା ଅଧିକ ବଢ଼ିଯାଇଛି ବୋଲି କହି ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଦେଇଥିଲେ। ଗାୟତ୍ରୀ ୭ମାସର ଗର୍ଭବତୀ ଥିଲେ,ସେଥିପାଇଁ ମନୋଜ ତାଙ୍କୁ ହସ୍ପିଟାଲକୁ ଆସିବାକୁ ମନା କରିଦେଇଥିଲେ। ଗାୟତ୍ରୀ ସୋମବାର ଦିନ ଦ୍ବିପ୍ରହର ୧.୩୦ରେ ହସ୍ପିଟାଲରେ ଉପସ୍ଥିତ ଥିବା ତାଙ୍କ ଦିଅର ତରୁଣକୁ ଫୋନ୍ କରିଥିଲେ। ଗାୟତ୍ରୀ ତାଙ୍କୁ ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି ପଚାରିବାରୁ ତାଙ୍କୁ ହସ୍ପିଟାଲ୍ ଆସିବାକୁ କହିଥିଲେ ତରୁଣ। ଗାୟତ୍ରୀଙ୍କୁ ହସ୍ପିଟାଲ ଆଣିବା ପାଇଁ ତରୁଣ ମନୋଜଙ୍କ ପଡ଼ୋଶୀଙ୍କୁ କାର୍ ବାହାର କରିବାକୁ କହିଥିଲେ। ଗାୟତ୍ରୀ ସାଲଓ୍ବାର ସୁଟ୍ ପିନ୍ଧି ଫ୍ଲାଟରୁ ବାହାରି ଆସିଥିଲେ। ସେ ଆସ୍ତେ ଆସ୍ତେ କଲୋନୀରୁ ବାହାରି ଆସି ଏକ ନିର୍ମାଣାଧୀନ କୋଠାର ୪ମହଲାରୁ ୪୦ଫୁଟ ତଳକୁ ଡେଇଁଥିଲେ। ପ୍ରଥମେ ସେ କଲୋନୀର ପାଚେରୀକାନ୍ଥକୁ ଲାଗିଥିବା ଗ୍ରିଲରେ ପଡ଼ିଥିଲେ ;ତା’ପରେ ପୁଣି ରାସ୍ଥାରେ ପଡ଼ିଥିଲେ। ଗାୟତ୍ରୀଙ୍କ ବଡ଼ଭାଇଙ୍କ କହିବାନୁସାରେ ଗାୟତ୍ରୀଙ୍କ ବିବାହ ୧୦ବର୍ଷ ହୋଇଯାଇଥିଲେ ମଧ୍ୟ ତାଙ୍କର କୈାଣସି ସନ୍ତାନସନ୍ତତି ନଥିଲେ। ନିଜ ସହରରେ ଏବଂ ସହର ବାହାରେ ଏପରି କୈାଣସି ପ୍ରଖ୍ୟାତ ଡାକ୍ତର ବାକି ନଥିଲେ ଯେଉଁଠାରେ ଗାୟତ୍ରୀ ଏବଂ ମନୋଜ ଯାଇନଥିଲେ। ସମ୍ପର୍କୀୟ ଯଦି କୈାଣସି ବାବାଙ୍କ ପାଖରେ ଯିବାକୁ ପରାମର୍ଶ ଦେଉଥିଲେ ସେଠାରେ ମଧ୍ୟ ସନ୍ତାନ ଆଶାରେ ସେମାନେ ଯାଉଥିଲେ। ଦୀର୍ଘ ଦିନ ପରେ ସେ ଗର୍ଭବତୀ ହେବା ପରେ ଘରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା। ଦୁଇଜଣଙ୍କ ପରିବାର ଏଥିପାଇଁ ଅପେକ୍ଷା କରିଥିଲେ। ଗାୟତ୍ରୀଙ୍କ ବଡ଼ଭାଇଙ୍କ କହିବାନୁସାରେ ପଡ଼ୋଶୀଙ୍କ ସାହାଯ୍ୟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗାୟତ୍ରୀଙ୍କୁ ଅନନ୍ତଶ୍ରୀ ହସ୍ପିଟାଲକୁ ଅଣାଯାଇଥିଲା। ଶେଷ ନିଃଶ୍ବାସ ତ୍ୟାଗ କରିବା ପୂର୍ବରୁ ଗାୟତ୍ରୀ ଗୋଟିଏ ପୁଅ ଏବଂ ଝିଅକୁ ଜନ୍ମ ଦେଇଥିଲେ। ଏଥିପାଇଁ ଡାକ୍ତରଙ୍କୁ ଅପରେସନ୍ କରିବାକୁ ପଡ଼ିଥିଲା। ଶିଶୁଙ୍କୁ ଜନ୍ମ ଦେବା ପରେ ଗାୟତ୍ରୀ ଆଖି ବୁଜିଦେଇଥିଲେ। ୩ଘଣ୍ଟା ପରେ ୫ଟା ବେଳେ ଦୁଇ ଶିଶୁ ଆଖି ଖୋଲିବା ପୂର୍ବରୁ ଆଖି ବୁଜି ଦେଇଥିଲେ। ଏହା ପରେ ୬ଟାବେଳେ ମନୋଜ ମଧ୍ୟ ଆଖି ବୁଜି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.