ସୁପ୍ରିମ କୋର୍ଟରେ ଆରମ୍ଭ ହେଲା କାଶ୍ମୀରରୁ ଧାରା ୩୭୦ ହଟାଇବା ପ୍ରସଂଗରେ ଦାୟର ହୋଇଥିବା ୧୪ଟି ମାଲାର ଶୁଣାଣୀ, କାଶ୍ମୀର ଯିବାକୁ ସୀତାରାମ ୟେଚୁରୀଙ୍କୁ ମିଳିଲା ଅନୁମତି

Published By : Prameya-News7 Bureau | August 28, 2019 IST

ନୂଆଦିଲ୍ଲୀ୨୮|୮: କାଶ୍ମୀରରେ କାଁ ଭାଁ ହିଂସାକାଣ୍ଡ ସୃଷ୍ଟି ହେଉଥିବା ବେଳେ ଏହାକୁ ନେଇ କିନ୍ତୁ ସରକାର, ବିଭିନ୍ନ ରାଜନୈତିକ ଦଳ ଏବଂ ସୁପ୍ରିମକୋର୍ଟ ବେଶ ଚଳଚଞ୍ଚଳ ହୋଇଉଠିଛନ୍ତି ।ଗୋଟିଏ ପଟେ ଜାମ୍ମୁ କାଶ୍ମୀରର ବିକାଶ ପାଇଁ କେନ୍ଦ୍ର ସରକାର ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଥିବା ବେଳେ ଅନ୍ୟପଟେ ଧାରା ୩୭୦ ଉଠାଇବା ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ମାମଲା ଉପରେ ଶୁଣାଣି ଆରମ୍ଭ ହୋଇଛି ।ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କୁ କାଶ୍ମୀର ଯିବାପାଇଁ ସର୍ତ୍ତମୂଳକ ଅନୁମତି ମିଳିଛି ।

ସୁପ୍ରିମକୋର୍ଟକୁ ଗଲା ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲା ।ସୁପ୍ରିମକୋର୍ଟର ୫ ଜଣିଆ ବେଞ୍ଚ ଅକ୍ଟୋବର ପ୍ରଥମ ସପ୍ତାହରୁ ଏହି ମାମଲାରେ ଶୁଣାଣି ଆରମ୍ଭ କରିବେ । ଧାରା ୩୭୦ ଉଚ୍ଛେଦ ଉପରେ ଆଗତ ୧୪ଟି ଆବେଦନ ଉପରେ ଆଜି ଶୁଣାଣି ହୋଇଛି । ଏହା ମଧ୍ୟରେ କାଶ୍ମୀରରେ ଲାଗିଥିବା ବିଭିନ୍ନ କଟକଣା ସଂପର୍କରେ ହୋଇଥିବା ଆବେଦନ ଉପରେ ବି ଶୁଣାଣି ହୋଇଥିଲା। ସୁପ୍ରିମ୍ କୋର୍ଟ ଏହା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିବା ବେଳେ ଆଟର୍ଣ୍ଣି ଜେନେରାଲ ଏହାର ବିରୋଧ କରିଥିଲେ। ଏଭଳି ନୋଟିସକୁ ଅନ୍ୟ ଦେଶ ଦୁରୁପଯୋଗ କରିପାରନ୍ତି ବୋଲି ସେ କହିଥିଲେ। ତେବେ କୋର୍ଟ କହିଥିଲେ - "ଆମେ ଜାଣିଛୁ ଆମକୁ କଣ କରିବାକୁ ହେବ"। ଏହାସହ କୋର୍ଟ ଜାମ୍ମୁ କାଶ୍ମୀରରେ ମିଡିଆର ସ୍ବାଧୀନତା ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏ ସଂପର୍କରେ ୭ ଦିନ ଭିତରେ ଜବାବ ଦେବାକୁ କହିଛନ୍ତି କୋର୍ଟ ।…

ଗୋଟିଏ ପଟେ କାଶ୍ମୀର ପ୍ରସଙ୍ଗରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଥିବା ବେଳେ ଅନ୍ୟପଟେ ବିରୋଧୀ ଦଳ ଗୁଡ଼ିକର ପ୍ରଥମ ବଡ଼ ନେତା ଭାବେ ସିପିଏମ୍ର ସୀତାରାମ ୟେଚୁରୀଙ୍କୁ ଜାମ୍ମୁ କାଶ୍ମୀର ଯିବାକୁ ଅନୁମିତ ମିଳିଛି । ତେବେ ୟେଚୁରୀ କେବଳ ତାଙ୍କ ବନ୍ଧୁଙ୍କୁ ସେଠାରେ ଭେଟି ପାରିବେ। ଅନ୍ୟ କୌଣସି ରାଜନୈତିକ କାର୍ଯ୍ୟକଳାପ କରିପାରିବେନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସେପଟେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରର ବିକାଶ ପାଇଁ ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଗଠନ କରିଛନ୍ତି। ଏହି କମିଟିରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଥାୱର ଚନ୍ଦ ଗେହଲଟ୍, ଜିତେନ୍ଦ୍ର ସିଂ, ନରେନ୍ଦ୍ର ସିଂ ତୋମାର ଏବଂ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି । ଏହି ମନ୍ତ୍ରୀ ଗୋଷ୍ଠୀ ଜାମ୍ମୁ କାଶ୍ମୀରର ବିକାଶ ପାଇଁ କେନ୍ଦ୍ରୀୟ ମନ୍ତ୍ରାଳୟ ଗୁଡିକର ସହାୟତାରେ ଯୋଜନା ପ୍ରସ୍ତୁତ କରିବେ। ବିଶେଷକରି କାଶ୍ମୀର ଯୁବକ ମାନଙ୍କର କର୍ମନିଯୁକ୍ତି ଉପରେ ଫୋକସ ରହିବ। ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଏ ସଂପର୍କିତ ରିପୋର୍ଟ ଆକ୍ଟୋବର  ୩୧ ସୁଦ୍ଧା ଦାଖଲ କରିବେ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.