ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା : ରିମାଣ୍ଡ ଅବଧି ସରୁଥିବାରୁ ଆଜି ସିବିଆଇ ସ୍ବତନ୍ତ୍ର କୋର୍ଟରେ ହାଜର ହେବେ ପି.ଚିଦାମ୍ବରମ

Published By : Prameya-News7 Bureau | August 26, 2019 IST

ନୂଆଦିଲ୍ଲୀ ୨୬/୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କର ଆଜି ସିବିଆଇ ରିମାଣ୍ଡ ଅବଧି ସରୁଛି ।ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ମାରାଥନ ଜେରା କରିଛି । ରିମାଣ୍ଡ ଅବଧି ସରିବା ପରେ ଆଜି ସିବିଆଇ ସ୍ବତନ୍ତ୍ର କୋର୍ଟରେ ଚିଦାମ୍ବରମଙ୍କୁ ହାଜର କରାଯିବ । ଏପଟେ ଆଇଏନଏକ୍ସ ମିଡିଆ ଦୁର୍ନୀତି ଏବଂ ମନି ଲଣ୍ଡ୍ରିଂ ମାମଲାରେ ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ।

ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଚିଦାମ୍ବରମ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ତେବେ ଅଗଷ୍ଟ ୨୧ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ଏବଂ ଜାମିନ ଆବେଦନ ଖାରଜ କରି ସିବିଆଇ ସ୍ବତନ୍ତ୍ର ଅଦାଲତ ଚିଦାମ୍ବରଙ୍କୁ ୫ଦିନିଆ ସିବିଆଇ ରିମାଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ଚିଦାମ୍ବରମ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଜଷ୍ଟିସ ଆର. ଭାନୁମତୀ ଏବଂ ଏଏସ୍  ବୋପାନ୍ନାଙ୍କ ଖଣ୍ଡପୀଠ ଆଜି ଏହା ଉପରେ ଶୁଣାଣି କରିବେ ।

ସେହିପରି ଅଗଷ୍ଟ ୨୬ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କୁ  ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଆଜି ମନି ଲଣ୍ଡ୍ରିଂ ମାମଲାରେ ଇଡିର ଆବେଦନ ଉପରେ ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିବେ । ତେଣୁ ଆଜି ଚିଦାମ୍ବରଙ୍କୁ ଆଶ୍ବସ୍ତି ମିଳିବ କି ନାହିଁ ସେନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ନଜର ରହିଛି । ସିବିଆଇ ରିମାମ୍ଡ ଅବଧି ବଢାଇବା ଲାଗି ଆବେଦନ କରିବ କି ନାହିଁ ତାହା ଉପରେ ମଧ୍ୟ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.