ଟିକାକରଣ ପାଇଁ ୯ ଘଣ୍ଟା ଜଙ୍ଗଲ ରାସ୍ତାରେ ଚାଲିଚାଲି ୧୪ ହଜାର ଫୁଟ୍‌ ଉଚ୍ଚରେ ପହଞ୍ଚିଲେ ସ୍ବାସ୍ଥ୍ୟ କର୍ମୀ, ଛୁଟୁଛି ପ୍ରଶଂସାର ସୁଅ

Published By : Prameya-News7 Bureau | July 14, 2021 IST

ଇଟାନଗର ୧୪/ ୦୭ : ଦେଶରେ ଟିକା ଅଭିଯାନ ଦୃତ ଗତିରେ ଜାରି ରହିଛି । ବିଭିନ୍ନ ପ୍ରାନ୍ତର ଲୋକଙ୍କ ନିକଟ​‌ରେ ଯେପରି ଟିକା ପହଞ୍ଚିପାରିବ ସେ ନେଇ ବ୍ୟାପକ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ଅରୁଣାଚଳ ପ୍ରଦେଶରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନଜାଣିଲେ ବିଶ୍ବାସ ହେବ ନାହିଁ । ଟିକା ନେଇନଥିବା ଚରଓ୍ବାହେ ସମ୍ପ୍ରଦାୟର ପ୍ରାୟ ୧୬ଟି ପରିବାର ନିକଟରେ ପହଞ୍ଚି ଭ୍ୟାକସିନ୍‌ ଳଗାଇଛନ୍ତି ସ୍ବାସ୍ଥ୍ୟକର୍ମୀ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସମୁଦ୍ର ପତ୍ତନ ଠାରୁ ଏମାନେ ୧୪ ହଜାର ଫୁଟ୍‌ ଉପରେ ବାସ କରୁଛନ୍ତି । ସୋମବାର ସେଠାକୁ ପ୍ରାୟ ୯ ଘଣ୍ଟାର ପଦଯାତ୍ରା ପରେ ପହଞ୍ଚିଥିଲେ ସ୍ବାସ୍ଥ୍ୟ କର୍ମୀ ।

ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗ୍ ଜିଲ୍ଲା ଡୋମ୍‌ଷ୍ଟାଙ୍ଗରେ ଗତ ମେ ୧୯ ତାରିଖରେ ଅନୁଷ୍ଠିତ ଟିକାକରଣ ଶିବିରରେ ପହଞ୍ଚି ପାରିନଥିଲେ ଚରଓ୍ବାହେ ସମ୍ପ୍ରଦାୟର ଅଧିବାସୀ । ଏହାପରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଙ୍କ ନିକଟକୁ ଯାଇ ଟିକା ଦେବାକୁ ଚିନ୍ତା କରିଥିଲେ । ଏହାପରେ ସେଠାକୁ ଯିବା ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଟ୍ରାକିଂ ଜରିଆରେ ସେମାନଙ୍କୁ ଠାବ କରାଯାଇ ପ୍ରାୟ ୯ ଘଣ୍ଟାର ପାହାଡିଆ ରାସ୍ତାରେ ପାଦରେ ଚାଲି ଚାଲି ୧୪ ହଜାର ଫୁଟ ଉଚ୍ଚରେ ପହଞ୍ଚିଥିଲେ ସ୍ବାସ୍ଥ୍ୟ କର୍ମୀ ।

ସେଠା​‌ରେ ପହଞ୍ଚିବା ପରେ ପରଦିନ ଗାଁ ଲୋକଙ୍କ ସହିତ ଏକ ବୈଠକ କରିଥିଲେ । ଏହାପରେ ପ୍ରାୟ ୧୬ଟି ଚରଓ୍ବାହେ ସମ୍ପ୍ରଦାୟ ପରିବାରକୁ ଟିକାକରଣ କରାଯାଇଥିଲା । ଏହି କାର୍ଯ୍ୟରେ ସାମିଲ ହୋଇଥିଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀଙ୍କ ସମେତ କର୍ମଚାରୀ । ଲୁଗୁନ୍ଥାଗ ତିଦ୍ଧତର ସୀମାରେ ଏହି ଗାଁ ଅବସ୍ଥିତ ଏବଂ ତାଓ୍ବାଙ୍ଗ୍ ରୁ ଏହା ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ । ଗାଁରେ ମୋଟ ୬୫ ଜଣ ଲୋକ ରହୁଛନ୍ତି । ସେମାନଙ୍କୁ ଟିକା ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ପ୍ରାୟ ୯ ଘଣ୍ଟାରେ ୧୪ ହଜାର ଫୁଟ୍‌ ଉଚ୍ଚକୁ ଯାଇଥିଲେ ।

ସ୍ବାସ୍ଥ୍ୟକର୍ମୀଙ୍କ ଏଭଳି କାମକୁ ଖୁବ ପ୍ରଶଂସା କରିଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ବର୍ଷା ଲାଗିରହିଥିଲେ ସୁଦ୍ଧା ଏହାକୁ ଖାତିର ନକରି ସ୍ବାସ୍ଥ୍ୟ ବିଭାଗ ଟିମ ଲଗାତାର ଭାବେ ଆଗକୁ ବଢିଥିଲେ ଏବଂ ସେଠାରେ ପହଞ୍ଚିଥିଲେ । ଏଭଳି କାର୍ଯ୍ୟ ପାଇଁ ଟିମରେ ସାମିଲ ଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଖୁବ ପ୍ରଶଂସା କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.