ସାଂଘାତିକ ଅବହେଳା : ଫୋନରେ ଗପୁଥିଲେ ସ୍ବାସ୍ଥ୍ୟକର୍ମୀ, ୪୦ ସେକେଣ୍ଡ ମଧ୍ୟରେ ମହିଳାଙ୍କୁ ୨ ଥର ଦେଇଦେଲେ ଭ୍ୟାକସିନ, ତା ପରେ...

Published By : Prameya-News7 Bureau | July 06, 2021 IST

ଝୁନ୍‌ଝୁନୁ ୦୬/୦୭ : ଦେଶରେ ଟିକାକରଣକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିରେ ଯେଭଳି କୌଣସି ସମସ୍ୟା ଦେଖାନଯାଏ ସେଥିପାଇଁ ସଚେତନତା ସହିତ ଟିକାକରଣ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ଝୁନ୍‌ଝୁନୁରେ ଟିକାକରଣ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାକରା ଗାଁରେ ଟିକାକରଣ ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା ଯୋଗୁଁ ଜଣେ ମହିଳାଙ୍କୁ ୪୦ ସେକେଣ୍ଡ ମଧ୍ୟରେ ଦୁଇ ଥର ଭ୍ୟାକସିନ ଦିଆଯାଇଥିବା ଅଭିଯୋଗ ହୋଇଛି । ଟିକା ଦେବା ସମୟରେ ମହିଳା ସ୍ବାସ୍ଥ୍ୟକର୍ମୀ ଜଣକ ମୋବାଇଲରେ କଥା ହେଉଥିବା ଜଣାପଡିଛି । କଥା ହେବା ସମୟରେ ଅନ୍ୟମନସ୍କ ହୋଇ ଦୁଇ ଥର ଭ୍ୟାକସିନ ଦେଇଦେଇଥିଲେ ।

ସୂଚନା ଅନୁାସରେ, ବାକରା ଗାଁରେ ଟିକାକରଣ ଚାଲିଥିଲା । ଉକ୍ତ ଗାଁର ସୁରେନ୍ଦ୍ର କୁମାର ଜାଙ୍ଗିଡାଙ୍କ ପତ୍ନୀ ମାୟା ଦେବୀ ମଧ୍ୟ ସେଠାକୁ ଭ୍ୟାକସିନ ନେବା ପାଇଁ ଆସିଥିଲେ । ମାୟା ଦେବୀ ଟିକାକରଣ ଗୃହକୁ ଯିବା ସମୟରେ ୨ ଜଣ ସ୍ବାସ୍ଥ୍ୟକର୍ମୀ ଫୋନରେ କଥା ହେଉଥିଲେ । ତେବେ ଜଣେ ଟିକା ଦେବା ପରେ ମହିଳା ଜଣକ ସେଠାରେ ମାତ୍ର କେଉ ସେକେଣ୍ଡ ପାଇଁ ବସିଥିଲେ । ଏତିକି ବେଳେ ଆଉ ଜଣେ ସ୍ବାସ୍ଥ୍ୟକର୍ମୀ ଫୋନରେ କଥାହୋଇ ମହିଳାଙ୍କ ଅନ୍ୟ ହାତରେ ଆଉ ଏକ ଟିକା ଦେଇଦେଇଥିଲେ ।

ମହିଳାଙ୍କ କହିବା ମୁତାକବ, ସେ ରୋକିବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ସ୍ବାସ୍ଥ୍ୟକର୍ମୀ ରୋକିନଥିଲେ ଏବଂ ଅନ୍ୟମନସ୍କରେ ତାଙ୍କୁ ଟିକା ଦେଇଥିଲେ । ତେବେ ମାୟା ଦେବୀଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଏବଂ ତାଙ୍କର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନଥିବା ସୂଚନା ମିଳିଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଛି । ସଂପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.