Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫୋନି କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ; ଖାଦ୍ୟ, ପାଣି ଓ ବିଦ୍ୟୁତ୍ ପରେ ଏବେ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ବ

9/05/2019 at 10:28 AM

ଭୁବନେଶ୍ବର ୯|୫: ବାତ୍ୟା ଫୋନି ପରେ ଏବେ ସ୍ବାସ୍ଥ୍ୟସେବା ଅଗ୍ରଗତି ନେଇ ଉଠିଛି ପ୍ରଶ୍ନ । ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ୧୦୩୧ ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଛି । ଏଥିରେ ପୁରୀ ଜିଲ୍ଲାର ସର୍ବାଧିକ ୧୭୨ ଟି ଡାକ୍ତରଖାନା ରହିଛି । ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ତ୍ବରାନ୍ବିତ ଏବଂ କ୍ଷୟକ୍ଷତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା ହୋଇଛି ।

ଖାଦ୍ୟ, ପାଣି ଓ ବିଦ୍ୟୁତ୍ ପରେ ଏବେ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ବ । ପ୍ରଳୟଙ୍କାରୀ ବାତ୍ୟା ଫୋନି ପରେ କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମୀକ୍ଷା ବୈଠକ ବସିଥିଲା । ରିପୋର୍ଟ ଅନୁସାରେ ଫୋନି ପ୍ରଭାବରେ ରାଜ୍ୟର ୧୦୩୧ ଟି ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଛି । ପୁରୀ ଜିଲ୍ଲାରେ ସର୍ବାଧିକ ୧୭୨ ଟି ଡାକ୍ତରଖାନା, ମୟୁରଭଞ୍ଜରେ ୧୩୨, ଖୋର୍ଦ୍ଧାରେ ୧୩୩, କେନ୍ଦ୍ରାପଡାରେ ୧୦୦, ଯାଜପୁରରେ ୧୧୧, ଜଗତସିଂହପୁରରେ ୯୯, କଟକରେ ୪୧, ଭଦ୍ରକରେ ୬୫ ଓ ବାଲେଶ୍ବର ଜିଲ୍ଲାରେ ୬୮ ଟି ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ସୁବ ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳରେ କାମ କରିବା ପାଇଁ ବହାରୁ ୫୬ ଜଣ ଡାକ୍ତରଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ୧୩୫ ଜଣ ନର୍ସ ଓ କର୍ମଚାରୀଙ୍କୁ ସଂପୃକ୍ତ ଜିଲ୍ଲାକୁ ପଠାଯାଇଛି ।

ପ୍ରଭାବିତ ଅଞ୍ଚଳରେ ୩୭୪ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି  ଏବଂ ୩୨୧ ଟି ଭ୍ରାମ୍ୟମାଣ ମେଡିକାଲ ଟିମ୍ କାର୍ଯ୍ୟ କରୁଛି । ୭୪୫ ଟି ମେଡିକାଲ ରିଲିଫ ସେଣ୍ଟର ସ୍ଥାପନ କରାଯାଇଛି । ବାତ୍ୟା ପୂର୍ବରୁ ୧୯୪୫ ଜଣ ଗର୍ଭବତୀଙ୍କୁ ହସ୍ପିଟାଲ ଓ ମା ଗୃହକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ୩୭୧ ଜଣ ସନ୍ତାନ ପ୍ରସବ କରିଛନ୍ତି । ବିଭିନ୍ନ ଗାଁରୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରିବାକୁ ୯ ହଜାର ୮୭ ଆଶାକର୍ମୀଙ୍କୁ ମୁତୟନ କରାଯାଇଛି। ବାତ୍ୟାଞ୍ଚଳରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ମହାମାରୀ ଦେଖାଦେଇନଥିବା ଜଣାପଡିଛି । ପିଇବା ପାଣିର ବିଶୋଧନ ପାଇଁ ପଦକ୍ଷେପ ନିଆଯାଇଥିବାବେଳେ୨୮ ଲକ୍ଷ ୩୭ ହଜାର ୫୮୮  ପ୍ୟାକେଟ୍ ଓଆରଏସ୍ ଏବଂ ୨୩ ଲକ୍ଷ ୮୬ ହଜାର ୨୬୦ ହାଲୋଜେନ୍ ବଟିକା ବଣ୍ଟନ କରାଯାଇଛି । ୪ହଜାର ୮୭୮ ଜଳ ଉତ୍ସର ବିଶୋଧନ କରାଯାଇଥିବା ସୂଚନା ଦିଆଯାଇଛି ।

ଖୋଲା ବସ୍ତି ଅଞ୍ଚଳରେ ଥିବା ପାନୀୟ ଜଳ ଉତ୍ସଗୁଡିକୁ ଯୁଦ୍ଧକାଳିନୀ ଭିତ୍ତିରେ ବିଶୋଧନ କରିବା ପାଇଁ ଡାକ୍ତର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭକରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ଚିକିତ୍ସାଳୟ ପରସରକୁ ତୁରନ୍ତ ସଫା କରିବା ପାଇଁ ପଦକ୍ଷେପ ଗ୍ରହଣ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରଖାନାଗୁଡିକରେ ନିରବଚ୍ଛିନ୍ନ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ସୁନିଶ୍ଚିତ ହେବା ଉପରେ ଗୁରୁତ୍ବ ଦିଆଯାଇଛି । ସେହିଭଳି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ ପାଇଁ ସ୍ବାସ୍ଥ୍ୟ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାକୁ ଗୁରୁତ୍ବ ଦିଆଯାଇଛି ।

   Related Posts