କରୋନା ଯାଞ୍ଚ ଉପରେ ସରକାରଙ୍କ ଜୋର୍: ଏ ପର୍ଯ୍ୟନ୍ତ ଟେଷ୍ଟ ହୋଇଛି ୧,୮୬,୯୦୬ ନମୂନା, ମିଳିଛି ୪.୩ ପ୍ରତିଶତ ପଜିଟିଭ୍ କେସ୍
12/04/2020 at 4:43 PM

ନୂଆଦିଲ୍ଲୀ ୧୨।୦୪: ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୫୬କୁ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ୩୪ ଜଣଙ୍କ ଏହି ମହାମାରୀ ଭାଇରସ୍ରେ ମୃତ୍ୟୁ ଘଟିଛି। ଏହି ପରି ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୯୦୯ଟି ନୂତନ କେସ୍ ସାମ୍ନାକୁ ଆସିଛି। ଏ ପର୍ଯ୍ୟନ୍ତ ସଂକ୍ରମଣରେ ପୂରା ଦେଶରେ ୨୭୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ରବିବାର ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଆଇସିଏମଆର କହିଛି ଯେ, ଅଦ୍ୟାବଧି ୧ ଲକ୍ଷ ୮୬ ହଜାର ୯୦୬ ନମୂନା ଯାଞ୍ଚ କରାଯାଇଛି। ଏଥିରୁ ୪.୩ ପ୍ରତିଶତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲଭ୍ ଅଗ୍ରଓ୍ଵାଲ କହିଛନ୍ତି ଗତ ୨୪ ଘଣ୍ଟାରେ ଏହି ମାରାତ୍ମକ ଭାଇରସ୍ରେ ୩୪ ଜଣଙ୍କ ପ୍ରାଣହାନୀ ଘଟିଛି। ଆଶ୍ଵସ୍ତିକର କଥା ୭୧୬ ସୁସ୍ଥ ହୋଇ ସାରିଛନ୍ତି ଏବଂ ଘରକୁ ଫେରିଛନ୍ତି। କାଲିଠୁ ଆଜି ପର୍ଯ୍ୟନ୍ତ ୭୪ ଜଣ ସୁସ୍ଥ ହୋଇଛନ୍ତି।
ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ ସୂଚନା ଦିଆଯାଇଛି ଯେ, ମାର୍ଚ୍ଚ ୨୯ରେ କରୋନା ରୋଗୀଙ୍କ ସଂଖ୍ୟା ଦେଶରେ ୯୭୯ ଥିଲା ଯାହା ବୃଦ୍ଧି ଘଟି ଏବେ ୮୩୫୬ରେ ପହଞ୍ଚିଛି। ଏଥି ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ମାମଲାରେ କ୍ରିଟିକାଲ୍ ଚିକିତ୍ସାର ଆବଶ୍ୟକତା ରହିଛି। ଅର୍ଥାତ ଏହି ରୋଗୀଙ୍କ ପାଇଁ ଆଇସିୟୁ ଭେଣ୍ଟିଲେଟ୍ର ପରି ଉପକରଣ ଦରକାର। ଲଭ ଅଗ୍ରଓ୍ଵାଲ କହିଛନ୍ତି ପ୍ରାୟ ୧୦୭୬ ରୋଗୀଙ୍କୁ ଅକ୍ସିଜେନ୍ ଭେଣ୍ଟିଲେଟ୍ର ଓ ଆଇସିୟୁ ପରି ଜରୁରୀ ଚିକିତ୍ସା ଜରୁରୀ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏହି ସୂଚନା ଏଥିପାଇଁ ଦିଆଯାଉଛି ଯଦ୍ଵାରା ଆଇସିୟୁ ଭେଣ୍ଟିଲେଟ୍ର ଏବଂ ଅନ୍ୟ ଡାକ୍ତରୀ ଉପକରଣକୁ ନେଇ କେହି ଚିନ୍ତିତ ନହୁଅନ୍ତୁ। ରୋଗୀ ସଂଖ୍ୟା ବଢିବା ସହ କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ମଧ୍ୟ ବଢାଯାଉଛି।
ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, କିଛି କ୍ଷେତ୍ରରେ ଆର୍ମି ମଧ୍ୟ କରୋନା ଲଢେଇରେ ସାହାଯ୍ୟ କରୁଛି। ଆନ୍ତର୍ଜାତୀୟ କାର୍ଗୋର ଯାତାୟତ ଉପରେ କୌଣସି ରୋକ୍ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ମ୍ୟାନୁଫେକଚରିଂ ୟୁନିଟ୍ ଉପରେ କୌଣସି ରୋକ୍ ନାହିଁ।
ପ୍ରତି ଦିନ ହେଉଛି ୧୬ ହଜାର ଟେଷ୍ଟ
ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ, ଦେଶରେ ୧୨୬ଟି ଟେଷ୍ଟିଂ କେନ୍ଦ୍ର ରହିଛି। ଆଜି ଅପରାହ୍ନ ୨ଟା ସୁଦ୍ଧା ୧,୮୬,୯୦୬ ନମୂନା ପରୀକ୍ଷା କରାଯାଇଛି। ଏଥିରୁ ୭୯୫୩ ଅର୍ଥାତ ୪.୩ ପଜିଟିଭ୍ କେସ୍ ମିଳିଛି। ଗତ ୫ ଦିନରେ ହାରାହାରି ଦୈନିକ ୧୬ ହଜାର ନମୂନା ଟେଷ୍ଟ କରାଯାଉଛି। ଏଥିରୁ ହାରାହାରି ୫୮୪ଟି କେସ୍ ପଜିଟିଭ୍ ମିଳିଛି।