ପାଣିପାଗ ସୂଚନା ନୁହେଁ କରୋନା ତୃତୀୟ ଲହର! ଏବେବି ଟଳିନି ବିପଦ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩।୭: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର କ୍ରମଶଃ ପ୍ରସମିତ ହେଉଛି। ଏଣୁ ଅନେକ ରାଜ୍ୟରେ କଟକଣା କୋହଳ କରାଯାଉଥିବା ବେଳେ ଲୋକେ କୋଭିଡ ପ୍ରୋଟକଲ ମାନୁ ନାହାନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଳୟ ଗଭୀର ଚିନ୍ତା ବ୍ୟକ୍ତ କରିଥିବା ବେଳେ କରୋନା ତୃତୀୟ ଲହର ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ନୁହେଁ ବୋଲି କହିଛନ୍ତି। ଲେକେ ସଂକ୍ରମଣର ଜଟିଳତା ଓ ଏହାକୁ ନେଇ ନିଜର ଦାୟିତ୍ୱ ଏବେବି ବୁଝୁ ନଥିବା କହିଛନ୍ତି। ଏଣୁ ବିପଦ ଟଳିଛି ବୋଲି ଭାବିବା ଅନୁଚିତ ବୋଲି ମନ୍ତ୍ରାଳୟ କହିଛନ୍ତି।

ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୧ ହଜାର ୪୪୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହ ତୁଳନାରେ ସଂକ୍ରମଣ ଚଳିତ ସପ୍ତାହରେ ମାତ୍ର ୬ ପ୍ରତିଶତ ହ୍ରାସ ହୋଇଛି। ଏଣୁ ସଂକ୍ରମଣର ଭୟାବହତା ଏବେବି ସମାପ୍ତ ହୋଇ ନଥିବା ଯୁଗ୍ମ ସଚିବ କହିଛନ୍ତି। ସେ କହିଛନ୍ତି ଯେ ଦେଶରେ ୭୩ଟି ଜିଲ୍ଲାରୁ ଏବେବି ଦୈନିକ ଶହେ ଲେଖାଏଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

{"id":480109,"width":836,"height":621,"sizeSlug":"large","linkDestination":"none"}

ଉପୁଜିଥିବା ପରିସ୍ଥିତିରେ କରୋନା ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ୧୧ ରାଜ୍ୟଙ୍କୁ କେନ୍ଦ୍ରୀୟ ଟିମ୍‌ ପଠାଇଥିବା ଯୁଗ୍ମ ସଚିବ କହିଛନ୍ତି। ରାଜ୍ୟ ସରକାରମାନଙ୍କୁ କରୋନା ନିୟନ୍ତ୍ରଣ ଲାଗି ଉପଯୁକ୍ତ ପରାମର୍ଶ ଦେବା ସହ ପଦକ୍ଷେପ ନେବା ଲାଗି ସରକାର ଏହି ଟିମ୍‌ଗୁଡିକୁ ସେଠାକୁ ଡେପୁଟେସନରେ ପଠାଇଛନ୍ତି। ଏହି ଟିମ୍‌ ମାନେ ଏବେ ପୂର୍ବୋତ୍ତର ରାଜ୍ୟମାନଙ୍କ ସମେତ ମହାରାଷ୍ଟ୍ର, ଛତିଶଗଡ, କେରଳ ଏବଂ ଓଡିଶାରେ ରହି କାର୍ଯ୍ୟ କରୁଥିବା ସେ କହିଛନ୍ତି।ସେପଟେ କରୋନା ବିରୋଧରେ ଲଢେଇ ଲାଗି ସରକାର ହାତକୁ ନେଇଥିବା ଟିକାକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ସାରା ଦେଶରେ ୩୦.୬୬ କୋଟି ଲୋକେ ପ୍ରଥମ ଡୋଜ ଟିକା ନେଇଛନ୍ତି। ସେହିପରି ୭.୪୯ କୋଟି ଲୋକେ ଦ୍ୱିତୀୟ ଡୋଜ ସହ ଟିକାକରଣ ସମ୍ପନ୍ନ କରିଥିବା ସେ କହିଛନ୍ତି।

ଏଥିରେ ନିତି ଆୟଗୋ ସ୍ୱାସ୍ଥ୍ୟ ସଦସ୍ୟ ଡା.ବି.କେ. ପାଲ ଏବେ ବିଶ୍ୱ କରୋନାର ତୃତୀୟ ଲହର ମଧ୍ୟଦେଇ ଗତି କରୁଥିବା ସତର୍କ କରାଇଛନ୍ତି। ତେବେ ଏହି କରୋନା ଲହର ଯେପରି ଭାରତରେ ଉପଦ୍ରବ ନ କରେ ସେଥିପ୍ରତି ଆମ ସମସ୍ତଙ୍କୁ ସଚେତନ ହେବାକୁ ହେବ ବୋଲି ଡା. ପାଲ କହିଛନ୍ତି। ଏଣୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ଦେଶକୁ କେବେ ତୃତୀୟ ଲହର ଆସିବ ସେ ବାବଦେ ଆମେ ଚିନ୍ତା ନକରି ଏଥିରୁ ବର୍ତ୍ତିବା ଲାଗି ଏବେଠୁ ଆମକୁ ସାବଧାନ ହେବାକୁ ହେବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.