କରୋନା ଭ୍ୟାକସିନ୍ ପ୍ରଥମେ ଯୁବପିଢୀଙ୍କୁ ଦିଆଯିବା ଗୁଜବକୁ ଖଣ୍ଡନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ: ପାର୍ବଣ ଋତୁକୁ ନେଇ ଦେଶବାସୀଙ୍କୁ କଲେ ସତର୍କ

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧/୧୦ : ଦେଶରେ କରୋନା ଭ୍ୟାକସିନ୍ ବିତରଣକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ଉପରେ ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ପ୍ରତିକ୍ରିୟା ରଖିଛନ୍ତି। ଏହି ଗୁଜବକୁ ସେ ଖଣ୍ଡନ କରିଛନ୍ତି ଯେ ସରକାର ବୟସ୍କଙ୍କ ପରିବର୍ତ୍ତେ ଯୁବପିଢୀଙ୍କୁ କରୋନା ଭ୍ୟାକସିନ୍ ଉପଲବ୍ଧ କରିବାକୁ ଯୋଜନା କରୁଛନ୍ତି। ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ ଏମିତି କୌଣସି କଥା ନାହିଁ। ଏହା ସମ୍ପୂର୍ଣ୍ଣ ଭୁଲ।

ସଣ୍ଡେ ସମ୍ବାଦ କାର୍ଯ୍ୟକ୍ରମରେ ଡ.ହର୍ଷବର୍ଦ୍ଧନ ଅନେକ ପ୍ରଶ୍ନର ଜବାବ ଦେଇଛନ୍ତି। ଆଗାମୀ ପର୍ବପର୍ବାଣି ଓ ଭଗବାନଙ୍କ ପୂଜାକୁ ନେଇ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଚେତନ ରହିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ ଦେଶବାସୀଙ୍କ ଜୀବନ ରକ୍ଷା କରିବା ତାଙ୍କ କର୍ତ୍ତବ୍ୟ। ଆଡମ୍ବର ଭାବେ ପୂଜା କିମ୍ବା ପର୍ବପର୍ବାଣି ପାଳନ କରିବାକୁ କୌଣସି ଧର୍ମ କିମ୍ବା ଭଗବାନ କହି ନାହାନ୍ତି। ନିଜ ବିଶ୍ୱାସକୁ ପ୍ରମାଣ କରିବାକୁ ବଡ ସଂଖ୍ୟାରେ ଏକତ୍ରିତ ହେବା ଆବଶ୍ୟକତା ନାହିଁ।

ଡ.ହର୍ଷବର୍ଦ୍ଧନ ଆଗକୁ କହିଛନ୍ତି ଯେ ସରକାର ଏବେ ସୁଦ୍ଧା କୋଭିଡ୧୯ ଭ୍ୟାକସିନ ପାଇଁ ଜରୁରୀକାଳୀନ ପ୍ରାଧିକରଣ ଦେବା ଉପରେ କୌଣସି ବିଚାର କରିନାହାନ୍ତି। ଏହା ପୂର୍ବରୁ ଲୋକଙ୍କ ସୁରକ୍ଷା ପାଇଁ ଭ୍ୟାକସିନ ଟ୍ରାଏଲର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର କ୍ଲିନିକାଲ୍ ଡାଟା ଅପେକ୍ଷାରେ ଅଛନ୍ତି। ଭେକସିନ୍ ଟ୍ରାଏଲ୍ ସଫଳ ହେବାପରେ ଯେଉଁମାନଙ୍କ ଜୀବନ ପ୍ରତି ବିପଦ ଅଛି କିମ୍ବା ଯେଉଁମାନଙ୍କୁ ସଂକ୍ରମଣ ହେବାରେ ଅଧିକ ଆଶଙ୍କା ଅଛି ସେମାନଙ୍କୁ ପ୍ରାଥମିକତା ଦିଆଯିବ। କରୋନା ଭ୍ୟାକସିନ ସୀମିତ ମାତ୍ରାରେ ସପ୍ଲାଏ ହେବାର ମଧ୍ୟ ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଭାରତ ଭଳି ବଡ ଦେଶରେ ପ୍ରାଥମିକତା ଆଧାରରେ ଟୀକାକରଣ ପ୍ରସ୍ତୁତି ଆବଶ୍ୟକ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଅକ୍ଟୋବର ୭ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଥିଲେ ଯେ ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସ୍ୱାସ୍ଥ୍ୟହାର ଏବଂ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ପ୍ରମାଣ କରୁଛି ଯେ ସରକାରଙ୍କ ନେତୃତ୍ୱରେ କୋଭିଡ-୧୯ ଉପରେ ରୋକ ଲଗାଇବା ରଣନୀତି ସଫଳ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.