ନୂଆଦିଲ୍ଲୀ, ୨୦/୦୫: କେନ୍ଦ୍ର ସରକାର କରୋନା ମହାମାରୀକୁ ନଜରରେ ରଖି ଖେଳାଳିଙ୍କ ଚିକିତ୍ସା ପାଇଁ ବୀମା କଭରେଜ୍କୁ ବୃଦ୍ଧି କରିବା ସହ ଏଥିରେ ଖେଳାଳି, ଅନୁବଦ୍ଧିତ କୋଚ୍ ଓ ସହଯୋଗୀ ଷ୍ଟାଫ୍ଙ୍କୁ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଖେଳ ପ୍ରାଧିକରଣ ବା ସାଇ ୧୩ ହଜାରରୁ ଅଧିକ ଖେଳାଳି, କୋଚ୍ ଓ ସହଯୋଗୀ ଷ୍ଟାଫଙ୍କୁ ଏଥିରେ ଲାଭ ମିଳିବ ବୋଲି କହିଛି ।
କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି ଯେ, ଖେଳାଳି, କୋଚ୍ ଓ ସହଯୋଗୀ ଷ୍ଟାଫ୍ଙ୍କୁ ତାଙ୍କ ମନ୍ତ୍ରାଳୟ ପ୍ରାଥମିକତା ଦେଉଛି । ସମସ୍ତକୁ ବୀମାର ସୁବିଧା ମିଳିବ । ଏନେଇ ସେ ସୁନିଶ୍ଚିତ କରିଛନ୍ତି । ରାଷ୍ଟ୍ରୀୟ ଶିବିରରେ ସାମିଲ ସମସ୍ତ ଖେଳାଳି, ସମ୍ଭାବିତ ଖେଳାଳି, ଖେଲୋ ଇଣ୍ଡିଆ ଖେଳାଳି ଓ ସାଇ ଦ୍ୱାରା ଅନୁବନ୍ଧିତ ଶିବିରରେ ସାମିଲ କନିଷ୍ଠ ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ ।
ସେ ଆହୁରି କହିଛନ୍ତି ଯେ, ଏହାପୂର୍ବରୁ ବୀମା କେବଳ ରାଷ୍ଟ୍ରୀୟ ଶିବିର ଯାଏଁ ସୀମିତ ଥିଲା । ପୂର୍ବରୁ ଅନୁବନ୍ଧିତ କୋଚ୍ କିମ୍ବା ସହଯୋଗୀ ଷ୍ଟାଫଙ୍କୁ ଏହାର ଲାଭ ମିଳୁନଥିଲା । କରୋନା ସଙ୍କଟ ପାଇଁ ଖେଳାଳିଙ୍କ ସହ ସମସ୍ତ ଷ୍ଟାଫ୍ଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯାଇଛି ।ଚିକିତ୍ସା ବୀମାରେ ୨୫ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ମୃତ୍ୟୁ ବୀମା ବି ସାମିଲ ଅଛି । ସାଇ ରାଷ୍ଟ୍ରୀୟ ଖେଳ ମହାସଙ୍ଘକୁ ଖେଳାଳି ଓ ସହଯୋଗୀଙ୍କ ନାଁ ବୀମାଭୁକ୍ତ କରିବାକୁ କହିଛି ।