ଓମିକ୍ରନକୁ ମାତ୍ ଦେଇପାରେ ଟିକା, ତୁରନ୍ତ ଦ୍ୱିତୀୟ ଡୋଜ୍ ସାରିବାକୁ ବିଶେଷଜ୍ଞଙ୍କ ପରାମର୍ଶ

Published By : Prameya-News7 Bureau | December 04, 2021 IST

ଭୁବନେଶ୍ୱର ୦୪/୧୨: ଡେଲଟା ଭାରିଆଣ୍ଟ ଚିହ୍ନଟ ହେବା ସମୟରେ ମଧ୍ୟ ଟିକା କାମ କରିବ କି ନାହିଁ ସନ୍ଦେହ ଥିଲା । କିନ୍ତୁ ୧୦୦ ପ୍ରତିଶତ ସୁରକ୍ଷା ଦେଉନଥିଲେ ମଧ୍ୟ ଟିକା ଅନେକ ମାତ୍ରାରେ ସୁରକ୍ଷା ଦେଉଛି । ତେଣୁ ଓମିକ୍ରୋନ ଠାରୁ ମଧ୍ୟ କ୍ରସ ପ୍ରୋଟେକ୍ସନ ଅର୍ଥାତ ବେଶ ଫଳପ୍ରଦ ହୋଇପାରେ ଟିକା । ଯାହାଦ୍ୱାରା ସଂକ୍ରମଣର ଗମ୍ଭୀରତା କମିବା ସହ ମୃତ୍ୟୁହାର ମଧ୍ୟ କମିବ । ନିଶ୍ଚିତ ଭାବରେ ଟିକା କାମ କରିବ ।

ହେଲେ କେତେ ସୁରକ୍ଷା ଦେବ ସେ ନେଇ ଗବେଷଣା ଚାଲିଛି । ଯେପର୍ଯ୍ୟନ୍ତ ସମସ୍ତେ ଟିକା ନେଇ ନାହାନ୍ତି, ବିପଦ ଅଛି । ପୁଣି ରାଜ୍ୟରେ ସଂକ୍ରମଣ ଆସିପାରେ । ତେଣୁ ଯେଉଁମାନେ ପ୍ରଥମ ଡୋଜ ଟିକା ନେଇ ନାହାନ୍ତି ଏବଂ ଯେଉଁମାନଙ୍କର ଦ୍ୱିତୀୟ ଡୋଜ ବାକି ଅଛି ଯଥାଶୀଘ୍ର ଟୀକାକରଣ କେନ୍ଦ୍ରକୁ ଆସି ଟିକା ନେଇ ଯିବାକୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଏପର୍ଯ୍ୟନ୍ତ ୨ କୋଟି ୮୦ ଲକ୍ଷ ଲୋକ ପ୍ରଥମ ଡୋଜ ଏବଂ ୧ କୋଟି ୬୨ ଲକ୍ଷ ଲୋକ ଦ୍ବିତୀୟ ଡୋଜ ଟିକା ନେଇ ସାରିଲେଣି । ଅର୍ଥାତ ୮୬ ପ୍ରତିଶତ ଲୋକଙ୍କର ପ୍ରଥମ ଡୋଜ ଟିକାକରଣ ସରିଗଲାଣି । ଟାର୍ଗେଟ ହିତାଧିକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କର ଟିକା କରଣ ଶେଷ ହୋଇଛି । ପାଖାପାଖି ୪୫ ଲକ୍ଷ ଲୋକଙ୍କ ଟିକାକରଣ ବାକି ଅଛି । ନଭେମ୍ବର ୩୦ ପର୍ଯ୍ୟନ୍ତ ଥିବା ହର ଘର ଦସ୍ତକ ଅଭିଯାନକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ସ୍ୱାସ୍ଥ୍ୟକର୍ମୀ ମାନେ ଘର ଘର ବୁଲି ଯେଉଁ ପ୍ରଥମ ଡୋଜ ବାକି ଅଛି ଏବଂ ଦ୍ବିତୀୟ ଡୋଜ ସମୟ ହୋଇଗଲାଣି ସେମାନଙ୍କୁ ଚିହ୍ନଟ କରୁଛନ୍ତି । ଏବଂ ନିକଟସ୍ଥ ଟୀକା କରଣ କେନ୍ଦ୍ରକୁ ଆଣି ଟୀକା ଦେଉଛନ୍ତି । ଏହାସହ ଶଯ୍ୟାଶାୟୀ ଲୋକଙ୍କୁ ଭ୍ୟାକ୍ସିନେସନ ଟିମ ଯାଇ ଟିକା ଦେଉଛନ୍ତି । ଆଜି ବାତ୍ୟା ଏବଂ ବର୍ଷା ପ୍ରଭାବ ଥିଲେ ମଧ୍ୟ ଟିକା କରଣ କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ ଯେଉଁ ଜିଲ୍ଲା ଗୁଡ଼ିକ ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି । ସେଠାରେ ଟିକା କରଣ କମ ଅଛି । ୨୫୦୦ ଟିକାକରଣ କେନ୍ଦ୍ର ମଧ୍ୟରୁ ୫୦୦ ଟିକା କରଣ କେନ୍ଦ୍ର ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.