ପଡୋଶୀ ରାଜ୍ୟରୁ ଆସିଥିଲା ଦ୍ବିତୀୟ ଲହର, ଏବେ ପୁଣି ବଢିଲାଣି ସଂକ୍ରମଣ

Published By : Prameya-News7 Bureau | November 01, 2021 IST

ଭୁବନେଶ୍ବର ୧।୧୧: ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ । ଦ୍ବିତୀୟ ଲହର ପଡୋଶୀ ରାଜ୍ୟରୁ ଆସିଥିଲା । ତେଣୁ ପୁଣି ପଡୋଶୀ ରାଜ୍ୟରେ ସଂକ୍ରମଣ ଆରମ୍ଭ ହୋଇଛି । ଯାହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଚେତନ ଅଛି ଏବଂ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଏବେ ଟେଷ୍ଟ, ସର୍ଭିଲାନ୍ସ, ଟିକାକରଣକୁ ଗୁରୁତ୍ବ ଦିଆଯାଉଛି । ଆଗାମୀ ଦିନରେ ଯେକୌଣସି ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତ ରହିଛୁ । କରୋନା ସଂକ୍ରମଣକୁ ଦେଖିଲେ ବର୍ତ୍ତମାନ ଓଡିଶାର ସ୍ଥିତି ଭଲ ରହିଛି । ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି । କିଛି ମାତ୍ରାରେ କିଛି ଜିଲ୍ଲାରେ ଏବେ ସୁଧା ସଂକ୍ରମଣ ଲାଗି ରହିଛି । ସେଠାରେ ସର୍ଭିଲାନ୍ସ କଡାକଡି କରାଯାଉଛି ।  

ଅନେକ ସମୟରେ ଦେଖାଦେଇଛି ଯେ, ଯଦି ପଡୋଶୀ ରାଜ୍ୟମାନଙ୍କରେ ସଂକ୍ରମଣ ବଢେ ତେବେ ଆମ ରାଜ୍ୟକୁ ମଧ୍ୟ ସଂକ୍ରମଣ ବଢିବାର ସମ୍ଭାବନା ରହିଥାଏ । ତେଣୁ ସର୍ଭିଲାନ୍ସ ଜାରି ରଖିବା ଆବଶ୍ୟକ । ଯଦି କୌଣସି କେସ୍ ଆସେ ତେବେ ନଜର ରଖାଯିବ । ବିଶେଷ ଭାବରେ ସୀମାବର୍ତ୍ତି ଅଞ୍ଚଳରେ ଆକ୍ଟିଭ ରହିବା ପାଇଁ ପଡିବ । ଲୋକମାନେ ସେଭଳି ଭାବରେ ନିୟମ ମାନନ୍ତୁ, ବ୍ୟବହାର ରଖନ୍ତୁ । ଏହାସହ ସେଠାରେ ସର୍ଭିଲାନ୍ସ ମଧ୍ୟ କଡାକଡି କରାଯିବ।

ସୂଚନା ଅନୁଯାୟୀ, ଓଡିଶାରେ ଆଜି ୩୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଦେଖିବାକୁ ଗଲେ ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କଲାଣି । ଦୀପାବଳି ପାଇଁ ସ୍ବତନ୍ତ୍ର ଭାବରେ ଗାଇଡଲାଇନ୍ ଦିଆଯିବ । ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏସଆରସି ବୈଠକ ଡାକିଥିଲେ । ସେହି ଅନୁସାରେ ଖୁବ୍ ଶୀଘ୍ର ଏକ ଗାଇଡଲାଇନ ଆସିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.