ଦୋକାନୀଙ୍କୁ ପିସି କାରବାରର ପାଠ ପଢାଇଲେ ପ୍ରଧାନ ଶିକ୍ଷୟତ୍ରୀ, କହିଲେ- ପରସେଣ୍ଟେଜ୍ ଆଗେ ଦିଅନ୍ତୁ, ନ ହେଲେ... ଦେଖନ୍ତୁ ସଂପୂର୍ଣ୍ଣ ଭିଡିଓ

Published By : Prameya-News7 Bureau | April 16, 2021 IST

ନବରଙ୍ଗପୁର ୧୬।୦୪: ପ୍ରଧାନ ଶିକ୍ଷୟତ୍ରୀଙ୍କ ପିସି କାରବାରର ପର୍ଦ୍ଦାଫାଶ। ଦୋକାନ ମାଲିକଙ୍କୁ ପିସି ବାବଦ ଟଙ୍କା ପ୍ରଧାନ ଶିକ୍ଷୟିତ୍ରୀ ମାଗୁଥିବା ସମୟର ଭିଡିଓ ନ୍ୟୁଜ୍ ୭ ହାତରେ ଧରାପଡ଼ିଛି। ସରକାରୀ କାର୍ଯ୍ୟାଳୟ ଗୁଡିକରେ ପିସି କାରବରକୁ ନେଇ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରୁଥିବା କହୁଥିବା ବେଳେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଦୋକାନକୁ ଯାଇ ବ୍ୟବସାୟୀଙ୍କୁ ୧୫ ପରସେଣ୍ଟ ହିସାବରେ ୧୫ ହଜାର ଟଙ୍କା ଦେଲେ ଯାଇ ୧ ଲକ୍ଷ ୮ ହଜାର ଟଙ୍କା ବକେୟା ରାଶିର ଚେକ ପ୍ରଦାନ କରିବେ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ୧୫ ହଜାର ଟଙ୍କାରେ ଅଫିସ ଷ୍ଟାଫ ସହ ଅଡିଟ ଓ ନିଜର ଖର୍ଚ୍ଚ ରହିଥିବା କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ। ୧୫ ହଜାର ଟଙ୍କା ନଦେଲେ ଚେକ ଦେବେନାହିଁ ବୋଲି କହିଛନ୍ତି।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଞ୍ଚଳରେ। ଡାବୁଗାଁ ବ୍ଲକ ଅନ୍ତର୍ଗତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୦ ଜଣ ଛାତ୍ର-ଛାତ୍ରୀଙ୍କ ପାଇଁ ଦୁଇ ହଳ ସ୍କୁଲ ୟୁନିଫର୍ମ, ଦୁଇଟି ସକ୍ସ ଓ ଗୋଟିଏ ହଳ ସ୍କୁଲ ବୁଟ୍ ପାଇଁ ଡାବୁଗାଁ ସ୍ଥିତ ଗୋୟେଲ ଫୁଟ ୱେଆର ଆଣ୍ଡ ହୋମ ନୀଡ୍ସ ଦୋକାନକୁ ବରାଦ ଦିଆଯାଇଥିଲା। ଏଥିପାଇଁ ୧ ଲକ୍ଷ ୮ ହଜାର ଟଙ୍କାର ବ୍ୟୟ ବରାଦ ହୋଇଥିଲା।

wp:html /wp:html

ଦୁମୁନିଗୁଡା ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇ ସରୋଜିନୀଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ କମିଟି ସଦସ୍ୟମାନେ  ଡାବୁଗାଁ ଗୋୟେଲ ଫୁଟ ୱେଆର ଏଣ୍ଡ ହୋମ ନୀଡ୍ସ ଦୋକାନରୁ ଉପରୋକ୍ତ ଜିନିଷ ନେଇଥିଲେ। ଏହା ପରେ ସ୍କୁଲକୁ ଡ୍ରେସ ଯୋଗାଇ ଦେଇଥିବା ଦୋକାନ ମାଲିକ ଗୋବିନ୍ଦ ଗୋପାଳ ବକେୟା ଟଙ୍କା ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫୋନ କରିଥିଲେ। ତେବେ ପ୍ରଧାନ ଶିକ୍ଷୟତ୍ରୀ ଟଙ୍କା ଆଜି ଦେବି କାଲି ଦେବି କହି ଭୂଆଁ ବୁଲାଇ ଚାଲିଥିଲେ।

ଟଙ୍କା ନମିଳିବାରୁ ଦୋକାନୀ ସ୍କୁଲ କମିଟି ସଦସ୍ୟ ମାନଙ୍କୁ ବକେୟା ଟଙ୍କା ଦେବାକୁ କହିଥିଲେ। କମିଟି ସଭ୍ୟମାନେ ଏହି ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥା ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ " "ଏହି କଥା ମୁଁ ବୁଝିଵି" ବୋଲି କହି ଦେଢ଼ ମାସ ଚୁପ ରହିଥିଲେ।  ଏହା ପରେ ପ୍ରଧାନ ଶିକ୍ଷୟିତ୍ରୀ ଇ.ସରୋଜିନୀ ନିଜେ ଡ୍ରେସ ଦୋକାନକୁ  ଯାଇ ଦୋକାନ ମାଲିକଙ୍କୁ ପିସି ବାବଦରେ ୧୫ ହଜାର ଟଙ୍କା ଦେଲେ ୧ ଲକ୍ଷ ୮ ହଜାର ଟଙ୍କାର ଚେକ ଦେବେ  ବୋଲି କହିଥିଲେ। ପିସି  ନହେଲେ ଚେକ ଦେବେ ନାହିଁ ବୋଲି କହିଥିଲେ।

ଏହି ଲାଞ୍ଚ କାରବାର ଭିଡିଓର ସତ୍ୟତା ବିଷୟରେ ଦୋକାନ ମାଲିକ ଗୋବିନ୍ଦ ଗୋପାଳ ଅଗ୍ରୱାଲଙ୍କୁ ପଚାରିବାରୁ ସେ ଘଟଣାଟି ସମ୍ପୂର୍ଣ ସତ୍ୟ ବୋଲି ସ୍ୱୀକାର କରିଛନ୍ତି। ଏଥି ସହ ଡୁମୁନିଗୁଡା ବିଦ୍ୟାଳୟ କମିଟି ସଭ୍ୟଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷୟିତ୍ରୀ ୧୫ ହଜାର ଟଙ୍କା ପିସି ମାଗିବା ଘଟଣାଟି ସତ୍ୟ ବୋଲି କହିଥିଲେ। ଏହାପରେ ଡାବୁଗାଁ ବ୍ଲକ ବିଇଓ ପ୍ରଶାନ୍ତ କୁମାର ହୋତା ସମ୍ପୃକ୍ତ ଘଟଣା ବିଷୟରେ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ପ୍ରଧାନ ଶିକ୍ଷୟତ୍ରୀ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.