ଅସଦାଚରଣର ଶିକାର ହେଲେ ନାବାଳିକା: ୧୨ ବର୍ଷର ଛାତ୍ରୀଙ୍କ ଗାଲକୁ କାମୁଡି ଦେଲେ ପ୍ରଧାନ ଶିକ୍ଷକ

Published By : Prameya-News7 Bureau | September 19, 2021 IST

ପାଟନା ୧୯/୦୯ : ସ୍କୁଲ୍‌ର ଜଣେ ପ୍ରଧାନଶିକ୍ଷକ ୧୨ ବର୍ଷୀୟା ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ଗାଲକୁ କାମୁଡ଼ିବାର ଅଭିଯୋଗରେ ଗିରଫ ହୋଇଛନ୍ତି। ଏନେଇ ପୁଲିସ୍ ତାଙ୍କୁ ଥାନାକୁ ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବହୁ ମାଡ଼ ମାରିଥିଲେ। ତେବେ ଏହି ଘଟଣାଟି ଘଟିଛି ବିହାରର କଟିହାର ଜିଲ୍ଲାର ସେମାପୁର ଅଞ୍ଚଳରେ ଥିବା ପିପରି ବହିୟାର ପ୍ରାଥମିକ ବିଦ୍ୟାଳୟରେ।

ତେବେ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଧାନଶିକ୍ଷକ ଛାତ୍ରୀ ଜଣଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ଗାଲକୁ କାମୁଡ଼ି ଦେଇଥିଲେ। ଛାତ୍ରୀ ଜଣଙ୍କ ଜୋରରେ ଚିତ୍କାର କରିବାରୁ ପାଖ ରାସ୍ତା ଦେଇ ଯାଉଥିବା ଲୋକେ ସ୍କୁଲ୍‌କୁ ଧାଇଁ ଆସିଥିଲେ। ସେମାନେ ପ୍ରଧାନଶିକ୍ଷକଙ୍କୁ ଏକ ରୁମ୍‌ରେ ବନ୍ଦ କରି ପୁଲିସ୍‌କୁ ଖବର ଦେଇଥିଲେ। ଏହା ଭିତରେ ଝିଅଟିର ପରିବାର ଲୋକେ ଓ ଗାଁର ଅନ୍ୟ ଲୋକମାନେ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ।

ଘଟଣାସ୍ଥଳରେ ପହଞ୍ଚି ପୋଲିସ୍ ପ୍ରଧାନଶିକ୍ଷକଙ୍କୁ ସେଠାରୁ ଥାନାକୁ ନେବା ବେଳେ ଉତ୍ତ୍ୟକ୍ତ ଲୋକମାନେ ତାଙ୍କୁ ବାଡ଼ିରେ ମାଡ ମାରିଥିଲେ। ପୂର୍ବରୁ ମଧ୍ୟ ଏହି ସ୍କୁଲ୍‌ରେ ଛାତ୍ରୀମାନଙ୍କ ସହିତ ଅସଦାଚରଣ କରାଯାଉଥିବା ଲୋକେ ଶୁଣିଥିଲେ। ତେଣୁ ଏହି ସଦ୍ୟ ଘଟଣାରେ ସେମାନେ ଉତ୍ତ୍ୟକ୍ତ ହୋଇ ପ୍ରଧାନଶିକ୍ଷକଙ୍କୁ ପିଟିଥିଲେ। ଏନେଇ ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ଉକ୍ତ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.