ଗିରଫ ହେଲେ ରସିକିଆ ପ୍ରଧାନ ଶିକ୍ଷକ ଓ ରୋଷେୟା : ମହିଳା ରୋଷେୟାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ

Published By : Prameya-News7 Bureau | February 26, 2020 IST

ବାଲିଗୁଡା ୨୬।୨: ଗିରଫ ହେଲେ ରସିକିଆ ପ୍ରଧାନ ଶିକ୍ଷକ ଓ ରୋଷେୟା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପୁରୁଷ ରୋଷେୟାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିଛି । ସେହି ବିଦ୍ୟାଳୟରେ କାର୍ଯ୍ୟରତ ଆଦିବାସୀ ମହିଳା ରୋଷେୟାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଉଭୟ ।

ସୂଚନଯୋଗ୍ୟ ଯେ, ଦୀର୍ଘ ତିନି ବର୍ଷ ହେବ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯିସାୟ ପ୍ରଧାନ ଓ ରୋଷେୟା ସଂସାର ଦିଗାଲ ସେହି ବିଦ୍ୟାଳୟର ଜଣେ ମହିଳା ରୋଷେୟାଙ୍କୁ ହଇରାଣ କରିଆସୁଥିଲେ । ରୋଷେୟା ଜଣଙ୍କ ଅଧିକାଂଶ ସମୟରେ ମହିଳା ରୋଷେୟା ରହୁଥିବା ଘରକୁ ରାତିଅଧରେ ଯାଇ କବାଟ ବାଡେଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ । ରୋଷେଇ କରୁଥିବା ସମୟରେ ପାଖକୁ ଯାଇ ପିନ୍ଧାଲୁଗା ଟଣାଟଣି କରୁଥିବା ଅଭିଯୋଗ ମଧ୍ୟ ହୋଇଛି ।

ସେପଟେ ପ୍ରଧାନ ଶିକ୍ଷକ ଯିସାୟ ପ୍ରଧାନ ମଧ୍ୟ ସମ୍ପୃକ୍ତ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏଥିରେ ମହିଳା ଜଣଙ୍କ ରାଜିନହେବାରୁ ତାଙ୍କୁ ସବୁବେଳେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସବୁବେଳେ ହଇରାଣ ହରକତ କରୁଛନ୍ତି ବୋଲି ମହିଳା ରୋଷେୟା ଗତ ଶନିବାର ଦିନ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ତଦନ୍ତ ଆରମ୍ଭ କରିଥିଲେ । ଘଟଣାରେ ପ୍ରଧାନ ଶିକ୍ଷକ ଯିସାୟ ପ୍ରଧାନ ଓ ରୋଷେୟା ସଂସାର ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.