ପ୍ରଶିକ୍ଷଣ ପାଇଁ ଯାଇଥିଲେ ଦକ୍ଷିଣ ଆଫ୍ରିକା, ହେଲେ ସାକ୍ଷୀ ଭାବେ ଫସି ରହିଛନ୍ତି ଓଡ଼ିଆ ଯୁବକ, ଏକମାତ୍ର ପୁଅକୁ ଝୁରି ଝୁରି ପ୍ରାଣ ହରାଇଲେ ମା

Published By : Prameya-News7 Bureau | July 16, 2021 IST

ଢେଙ୍କାନାଳ ୧୬।୦୭:  ଉଦ୍ୟାନ କୃଷି ପ୍ରଶିକ୍ଷଣ ପାଇଁ ସୁଦୂର ଦକ୍ଷିଣ ଆଫ୍ରିକା ଯାଇ ଫସି ରହିଛନ୍ତି ଜଣେ ଓଡ଼ିଆ ଯୁବକ । ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଶେଷରେ ଅକାଳରେ ଆଖି ବୁଜିଲେ ମା ।  ତଥାପି ଫେରି ପାରୁନି ପୁଅ । ଏପରି ସ୍ଥଳେ ସରକାରଙ୍କ  ସହଯୋଗକୁ ଚାହିଁ ବସିଛନ୍ତି ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଗ୍ରାମବାସୀ।

ମରିଗଲେ ପାଟିରେ ପୁଅ ପାଣି ଟୋପାଏ ଦେବ । ଆଉ ମଶାଣିରେ ମୁହଁରେ ନିଆଁ ଟିକିଏ  ଦେବ । ଏପରି ଅନେକ ଆଶା ବାନ୍ଧିଥାନ୍ତି ବାପା ମା । ହେଲେ ବିଧିର ବିଧାନ କିଛି ଅଲଗା । ଚାଲିଛି ଶୁଦ୍ଧକ୍ରିୟା । ଏପଟେ ଗାଁ ପୋଖରି ତୁଠରେ ସାମିଲ ହୋଇଛନ୍ତି ଭାଇ ବନ୍ଧୁ ଆଉ କୁଟୁମ୍ବ। ମାତ୍ର ମାର ଏହି ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇ ପାରିଲାନି ଏକ ମାତ୍ର ପୁଅ । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ବେଲଟିକିରି ଗ୍ରାମରେ । ଯାହାକୁ ନେଇ ବନ୍ଧୁ ବନ୍ଧବଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ପଯ୍ୟନ୍ତ ସମସ୍ତେ ମର୍ମାହତ ।

ସାଧାରଣ ପ୍ରଶାସନିକ ବିଭାଗରେ ଆକାଉଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଢେଙ୍କାନାଳ ଜିଲ୍ଲା ବେଲଟିକିରି  ଗ୍ରାମର ରଞ୍ଜନ ନନ୍ଦ ଓ ପତ୍ନୀ  ଭକ୍ତିମଞ୍ଜରୀ ନନ୍ଦଙ୍କର ଏକମାତ୍ର ପୁଅ ୨୮ବର୍ଷର ସବ୍ୟସାଚୀ ନନ୍ଦ। ସବ୍ୟସାଚୀ ଆଇଟିଆରରୁ ବିଟେକ ସାରି ଗତ ଡିସେମ୍ବର ୨୦୧୯ରେ ଉଦ୍ୟାନ କୃଷି ପ୍ରଶିକ୍ଷଣ ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ । ପ୍ରଶିକ୍ଷଣ ସାରି ଗତ ମାର୍ଚ୍ଚ ୨୦୨୦ରେ ସେ ଘରକୁ ଫେରିବା କଥା । କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଆନ୍ତର୍ଜାତିକ ବିମାନ ସେବା ବାତିଲ ତାଙ୍କ ଫେରିବା ବାଟରେ ବାଧା ସାଜିଲା । ଫଳରେ ଘରକୁ ଫେରି ନପାରି ପୁଣି ଦକ୍ଷିଣ ଆଫ୍ରିକାରେ ଏକ ଭଡା ଫାର୍ମ ହାଉସରେ ସବ୍ୟସାଚୀଙ୍କୁ ରହିବାକୁ ପଡିଲା। 

{"id":481699,"sizeSlug":"large","linkDestination":"none"}

ତେବେ ଭାଗ୍ୟର ବିଡମ୍ବନା ଗତ ଫ୍ରେବ୍ରୁଆରୀ ମାସରେ ଉକ୍ତ ଫାର୍ମ ହାଉସ ମାଲିକଙ୍କ ପୁଅକୁ ଅଜଣା ଆତତାୟୀ ମାନେ ସବ୍ୟସାଚୀଙ୍କ ଉପସ୍ଥିତିରେ ହତ୍ୟା କଲେ । ଫଳରେ ଏହି ହତ୍ୟା ମାମଲାରେ ସବ୍ୟସାଚୀ ଏକମାତ୍ର ପ୍ରତ୍ୟକ୍ଷ ଦର୍ଶୀ ସାକ୍ଷୀ ଭାବେ ତଦନ୍ତକାରୀ ଦକ୍ଷିଣ ଆଫ୍ରିକା ପୁଲିସ ପାଖରେ ଫସି ରହିଛନ୍ତି । ଏପରିକି ତାଙ୍କ ଭିସା ଓ ପାସପୋର୍ଟ ଆଦିକୁ ଜବତ କରିନେଇଛି ସେଠାକାର ପୁଲିସ । ଫଳରେ ମାମଲାର ତଦନ୍ତ ନସରିବା ଯାଏଁ ପୁଅର ଫେରିବା ବାଟ ବନ୍ଦ ହୋଇଯାଇଛି । ଏପରିସ୍ଥଳେ ଏକମାତ୍ର ପୁଅକୁ ଝୁରି ଝୁରି ଗତ ୭ତାରିଖରେ ମା ଭକ୍ତିମଞ୍ଜରୀଙ୍କର ଅକାଳ ବିୟୋଗ ଘଟିଛି । ଯାହାକି ତାଙ୍କ ପରିବାର , ବନ୍ଧୁବାନ୍ଧବଙ୍କ ଠାରୁ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବେଶ ବେଶ ମର୍ମାହତ କରିଦେଇଛି ।

ତେବେ ପୁଅ ଫେରିବା ପାଇଁ ଦକ୍ଷିଣ ଆଫ୍ରିକାର ଭାରତୀୟ ଦୂତାବାସକୁ ଯୋଗାଯୋଗ କରି ମଧ୍ୟ ବିଫଳ ହେବା ପରେ ହତାଶ ହୋଇପଡିଛନ୍ତି  ପରିବାର ଓ ଗ୍ରାମବାସୀ । ଏପରିସ୍ଥଳେ  ପୁଅକୁ ଫେରାଇଆଣିବା ପାଇଁ ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସବ୍ୟସାଚୀଙ୍କ ବାପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.