ଗ୍ରେଟର ନୋଏଡା ଫ୍ୟାସେଲିଟି ବନ୍ଦ କରିବ ହୋଣ୍ଡା, ଦୀର୍ଘ ୨୩ ବର୍ଷ ହେଲା ହେଉଥିଲା କାର ଉତ୍ପାଦନ

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯।୧୨: କାର ନିର୍ମାତା ହୋଣ୍ଡା କାରସ୍ ଇଣ୍ଡିଆ ଲି (ଏଚସିଆଇଏଲ) ତାଙ୍କର ଗ୍ରେଟର ନୋଏଡା କାରଖାନାକୁ ବନ୍ଦ କରିବେ। ଜାପାନୀ ହୋଣ୍ଡା ମୋଟର କୋଙ୍କ ସମ୍ପୂର୍ଣ୍ଣ ସହାୟକ ମାଲିକାନା କମ୍ପାନୀ ୧୯୯୭ ମସିହାରୁ ଏଠାରେ କାର ଉତ୍ପାଦନ କରିଆସୁଛନ୍ତି। ତେବେ ଏଠାରେ ଉତ୍ପାଦନ ବନ୍ଦ ହେଲେ ବି କାର୍ଯ୍ୟାଳୟ ଭାବେ ପରିସରର ବ୍ୟବହାର ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏହା କମ୍ପାନୀର କର୍ପୋରେଟ ମୁଖ୍ୟାଳୟ ରହିବ।

ମୁଖ୍ୟାଳୟ ସହ କମ୍ପାନୀର ଆରଏଣ୍ଡଡି ସେଣ୍ଟର ଓ ଯନ୍ତ୍ରାଂଶ ବିଭାଗ ମଧ୍ୟ ଏହିଠାରେ ପୂର୍ବବତ କାର୍ଯ୍ୟ କରିବ। ତେବେ ଏଠାରେ କାର ନିର୍ମାଣ କାହିଁକି ବନ୍ଦ କରିବ ତାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ଆସି ନାହିଁ। ତେବେ ନୂଆ କାର ନିର୍ମାଣ ଲାଗି କମ୍ପାନୀ ରାଜସ୍ଥାନର ଟାପୁକରା ଫାସେଲିଟି ଉପରେ ନିର୍ଭର କରିବ। ତେବେ ନୋଏଡାରୁ ଉତ୍ପାଦନ ବନ୍ଦ ପୂର୍ବରୁ କମ୍ପାନୀ କର୍ମଚାରୀଙ୍କ ଲାଗି ସ୍ୱେଚ୍ଛାକୃତ ଅବସର ଯୋଜନା (ଭିଆରଏସ୍‌) ଆଣିଥିଲା। ଉତ୍ପାଦନ ସହ ଜଡିତ ଲୋକଙ୍କ ଲାଗି ଏହି ଯୋଜନା ଥିବା ବେଳେ ଦକ୍ଷତା ଓ ଉତ୍ପାଦନ ବୃଦ୍ଧି ଲାଗି କମ୍ପାନୀ ଏପରି ପଦକ୍ଷେପ ନେଉଥିବା ସେତେବେଳେ କହିଥିଲା।

ହୋଣ୍ଡାର ଲୋକପ୍ରିୟ କାର ମଡେଲ ସିଟି, ସିଆରଭି ଓ ସିଭିକ୍‌ ନୋଏଡା ଫାସେଲିଟିରୁ ହିଁ ବାହାରୁ ଥିଲା। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ଅନୁନ୍ୟ ୧ଲକ୍ଷ ୟୁନିଟ୍‌। ତେବେ ଟାପକୁରା ଫାସେଲିଟିର ଉତ୍ପାଦନ କ୍ଷମତା ଏହାଠାରୁ ଯଥେଷ୍ଠ ଅଧିକ। ଏଠାରେ ବାର୍ଷିକ ୧ଲକ୍ଷ ୮୦ ହଜାର ୟୁନିଟି କାର ଉତ୍ପାଦନ ହୋଇପାରୁଛି। ଏଠାରେ ଅନ୍ୟ ଦେଶକୁ ରପ୍ତାନୀ ହେଉଥିବା କାର ଇଞ୍ଜିନ ମଧ୍ୟ ନିର୍ମିତ ହେଉଥିଲା। ଚଳିତବର୍ଷ ନଭେମ୍ବର ମାସ ସୁଦ୍ଧା  ଏଚସିଆଇଏଲ ଦେଶରେ ୯ ହଜାର ୯୯୦ ୟୁନିଟି ବିକ୍ରି କରିଛି। ଗତବର୍ଷ ଏହି ସମୟ ଅପେକ୍ଷା ଚଳିତବର୍ଷ ୬ହଜାର ୪୫୯ ୟୁନିଟ୍‌ ଅଧିକ କାର ବିକ୍ରି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.