ଭାରତର ଏହି ରହସ୍ୟମୟ ମନ୍ଦିର, ଯେଉଁଠାରେ ଭୁଲରେ ମଧ୍ୟ କେହି ରାତିରେ ରୁହନ୍ତି ନାହିଁ

Published By : Prameya-News7 Bureau | April 06, 2020 IST

ଜୟପୁର, ୦୬|୦୪: ଦୁନିଆରେ ଏମିତି ଅନେକ ମନ୍ଦିର ରହିଛି ଯାହାର କିଛି କିଛି ରହସ୍ୟ ରହିଥାଏ | ବିଶେଷକରି ଭାରତରେ ଏମିତି ଅନେକ ରହସ୍ୟମୟୀ ମନ୍ଦିର ଅଛି | ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ ଜାଣିବା ଯେଉଁଠାରେ ସନ୍ଧ୍ୟା ହେଲେ କୌଣସି ଲୋକ ରହନ୍ତି ନାହିଁ | ସନ୍ଧ୍ୟା ହେବା ମାତ୍ରେ ସମସ୍ତେ ସେଠାରୁ ପଳାଇଯାନ୍ତି | ଭୁଲରେ କେହି ଏଠାରେ ରାତିରେ ରୁହନ୍ତିନି | ଏହି ମନ୍ଦିରରେ ଯିଏ ରାତିରେ ରୁହେ ସେ ପଥର ପାଲଟିଯାଏ ବୋଲି ବିଶ୍ୱାସ ରହିଛି |
ଏହି ମନ୍ଦିର ନାଁ ହେଉଛି କିରାଡ଼ୁ ମନ୍ଦିର | ଏହି ରହସ୍ୟମୟୀ ମନ୍ଦିର ରାଜସ୍ଥାନର ବାଡମେର ଜିଲ୍ଲାରେ ରହିଛି | କିରାଡ଼ୁକୁ ରାଜସ୍ଥାନର ଖଜୁରାହୋ ମଧ୍ୟ କୁହାଯାଏ | ଏହି ମନ୍ଦିର ଦକ୍ଷିଣ ଭାରତୀୟ ଶୈଳୀରେ ତିଆରି ହୋଇଛି | ନିଜର ସ୍ଥାପତ୍ୟ କଳା ପାଇଁ ଏହି ମନ୍ଦିର ପ୍ରସିଦ୍ଧ | ୧୧୬୧ ମସିହାରେ ଏହି ଜାଗାର ନାଁ ଥିଲା କିରାଟ କୂପ |

{"id":249873,"width":752,"height":585,"sizeSlug":"large"}

କିରାଡ଼ୁ ୫ଟି ମନ୍ଦିର ବିଶିଷ୍ଟ ଯେଉଁଠାରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କ ମନ୍ଦିର ଅବସ୍ଥା ଟିକେ ଭଲ ଅଛି | ବାକି ମନ୍ଦିର ଭାଙ୍ଗି ଭୂତକୋଠି ଭଳି ହୋଇଗଲାଣି | ଏହି ମନ୍ଦିର କିଏ ନିର୍ମାଣ କରିଥିଲେ ତାହା କେହି ମଧ୍ୟ ଜାଣିନାହାନ୍ତି | ତେବେ ମନ୍ଦିରର ନିର୍ମାଣ ଶୈଳୀ ଦେଖି ଅନୁମାନ କରାଯାଇପାରେ ଯେ ଦକ୍ଷିଣ ଭାରତର ଗୁଜ୍ଜର-ପ୍ରତିହାର ବଂଶ, ସଙ୍ଗମ ବଂଶ ଅଥବା ଗୁପ୍ତ ବଂଶ ରାଜୁତି କାଳରେ ଏହା ନିର୍ମାଣ କରାଯାଇଥିଲା |

ବିଶ୍ୱାସ ରହିଛି ଯେ, ଅନେକ ବର୍ଷ ପୂର୍ବରୁ କିରାଡ଼ୁକୁ ଜଣେ ସିଦ୍ଧ ସାଧୁ ନିଜର କିଛି ଶିଷ୍ୟଙ୍କ ସହିତ ଆସିଥିଲେ | ଦିନେ ସେ ନିଜ ଶିଷ୍ୟଙ୍କୁ ସେଠାରେ ଛାଡି ଭ୍ରମଣ ପାଇଁ ଯାଇଥିଲେ | ଏତିକିବେଳେ ଜଣେ ଶିଷ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା | ଅନ୍ୟ ଶିଷ୍ୟମାନେ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସାହାଯ୍ୟ ମାଗିଥିଲେ | କିନ୍ତୁ କେହି ହେଲେ ତାଙ୍କୁ ସାହାଯ୍ୟ କରିନଥିଲେ | ପରବର୍ତ୍ତୀ ସମୟରେ ଯେତେବେଳେ ସାଧୁ ସେଠାକୁ ଆସିଲେ ସେ ସମସ୍ତ ଘଟଣା ସମ୍ପର୍କରେ ଜାଣିବାକୁ ପାଇଲେ | ସମସ୍ତ ଘଟଣା ଶୁଣି ସାଧୁ ଗ୍ରାମବାସୀଙ୍କୁ ଅଭିଶାପ ଦେଇଥିଲେ ଯେ, ସୂର୍ଯ୍ୟାସ୍ତ ପରେ ସମସ୍ତେ ପଥର ପାଲଟିଯିବେ |

ଆଉ ଏକ ବିଶ୍ୱାସ ମଧ୍ୟ ରହିଛି ଯେ ଜଣେ ମହିଳା ସାଧୁଙ୍କ ଶିଷ୍ୟଙ୍କୁ ସାହାଯ୍ୟ କରିଥିଲେ | ସେଥିପାଇଁ ସାଧୁ ଉକ୍ତ ମହିଳାଙ୍କୁ କହିଥିଲେ ଯେ ସୂର୍ଯ୍ୟାସ୍ତ ପୂର୍ବରୁ ସେ ଗାଁ ଛାଡି ଚାଲିଯାନ୍ତୁ ଏବଂ ପଛକୁ ଫେରି ଦେଖିବେନି | କିନ୍ତୁ ମହିଳା ଜଣକ ସାଧୁଙ୍କ କଥା ନ ମାନି ଉତ୍ସାହର ସହ ପଛକୁ ଓଲଟି ଦେଖିଥିଲେ | ପଛକୁ ଓଲଟି ଦେଖିବାପରେ ମହିଳା ମଧ୍ୟ ପଥର ପାଲଟି ଯାଇଥିଲେ | ମନ୍ଦିରରୁ କିଛି ଦୂରରେ ସେହି ମହିଳାଙ୍କ ମୂର୍ତ୍ତି ମଧ୍ୟ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.