ବ୍ୟବସାୟୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଲେ: ମୁହାଣରୁ ମିଳିଲା ମୃତଦେହ,୨ଅଟକ

Published By : Prameya-News7 Bureau | July 06, 2020 IST

ପୁରୀ ୦୬।୦୭: ବଳିଆପଣ୍ଡା ଥାନା ଅଧୀନ ଷ୍ଟର୍ଲିଂ ରିସୋର୍ଟ ନିକଟରେ ଜଣେ ବ୍ୟବସାୟୀଙ୍କୁ ଶନିବାର ହତ୍ୟା ପରେ ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ରାତିତମାମ ପାଣିର ଖୋଜାଖୋଜି କରିବା ପରେ ରବିବାର ସକାଳେ ମଙ୍ଗଳା ମୁହାଣରୁ ଶବ ମିଳିଛି । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ହତ୍ୟା ମାମଲା ରୁଜୁ କରିି ୨ ଜଣଙ୍କୁ ଅଟକ ରଖିଛି । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ଯମଧର ଗ୍ରାମର ନିରଞ୍ଜନ ସେଠୀଙ୍କ ପୁଅ ହରି ଓରଫ ଦେବାଶିଷ ସେଠୀ (୩୨) ।

ଶନିବାର ଅପରାହ୍ନ ୫ଟାରେ ୨ ଜଣ ବନ୍ଧୁଙ୍କ ସହ ମଙ୍ଗଳା ମୁହାଣକୁ ଯାଇଥିଲେ ହରି । ହଠାତ୍‌ ତାଙ୍କ ପରିବାରକୁ ଖବର ଯାଇଥିଲା ଯେ, ସେ ନଦୀରେ ବୁଡି ଯାଇଛନ୍ତି । ଖବର ପାଇ ପରିବାର ଲୋକେ ପୁରୀ ଆସିଥିଲେ । ଖବର ପ୍ରଚାରିତ ହେବା ମାତ୍ରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ହରିଙ୍କ ଭିଣୋଇ ଆଳି ଥନା ଅଧୀନ ସାନମଙ୍ଗ ଭାଟିପଡା ଗ୍ରାମର ମାନସ ସେଠୀ ଓ ପରିବାର ଲୋକେ ମଙ୍ଗଳା ମୁହାଣରେ ପହଞ୍ଚି ମଧ୍ୟ ବହୁତ ଖୋଜାଖୋଜି କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ମଙ୍ଗଳା ନଦୀରେ ଖୋଜାଖୋଜି କରିଥିଲେ । ହେଲେ ପତ୍ତା ମିଳିନଥିଲା । ରବିବାର ସକାଳେ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ । ପୁଲିସ ପହଞ୍ଚି ଶବ ଉଦ୍ଧାର କରିଥିଲା ।

ହରିଙ୍କ ଦୁଇ ସାଙ୍ଗ କହିଥିଲେ ଯେ, ୩ ଜଣ ଏକ କାର୍‌ରେ ସେଠାକୁ ଆସିଥିଲେ । ଜଣେ ପ୍ରଥମେ ନଦୀରେ ସ୍ନାନ କରିବା ପରେ ହରି ଓ ଅନ୍ୟ ଜଣେ ସାଙ୍ଗ ନଦୀରେ ସ୍ନାନ କରୁଥିଲେ । ଏହି ସମୟରେ ହରି ପାଣିରେ ବୁଡି ଯାଇଥିଲେ । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିନଥିଲେ ପରିବାର ଲୋକେ । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପାଣିରେ ବୁଡି ପ୍ରାଣ ହରାଇଥିବା ରୂପଦିଆଯାଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ତେଣୁ ପୁଲିସ ୨ ସାଙ୍ଗଙ୍କୁ ତତ୍‌କ୍ଷଣାତ୍‌ ଥାନାକୁ ଉଠାଇ ନେଇଥିଲା । ମୃତ ହରିଙ୍କ ମଉସା ଉଚ୍ଛବନନ୍ଦ ମଲ୍ଲିକ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଘଟଣା ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପରେ ବଳିଆପଣ୍ଡା ଥାନା ପୁଲିସ ଦଫା ୩୦୨ ବଳରେ ଏକ ହତ୍ୟା ମାମଲା (୭୧/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ଜବତ ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି । ଅଟକ ଦୁଇ ଜଣଙ୍କୁ ପୁଲିସ ଦିନ ତମାମ ପଚରା ଉଚରା କରିଛି ।

ବାପା ନିରଞ୍ଜନ ଓ ମା’ ଭଗବତୀ ସେଠୀଙ୍କ ଏକମାତ୍ର ପୁଅ ହେଉଛନ୍ତି ହରି । ୧୦ ବର୍ଷ ତଳେ ବାପା ଓ ମା’ଙ୍କ ସହ ହରି ପୁରୀ ଆସି ମାଟିମଣ୍ଡପ ସାହିରେ ଭଡା ଘରେ ରହୁଥିଲେ । ଦେଢ଼ବର୍ଷ ତଳେ ବାପାଙ୍କ ଦେହାନ୍ତ ହୋଇଥିଲା । ସ୍ୱାମୀଙ୍କୁ ହରାଇ ଭଗବତୀ ପୁଅ ହରିଙ୍କ ମୁହଁକୁ ଚାହିଁ ଦିନ କାଟୁଥିଲେ । ହରି କିଛି ସାଙ୍ଗମାନଙ୍କ ସହ ମିଶି ବଳଗଣ୍ଡିଠାରେ ଏକ ମୋବାଇଲ୍‌ ଦୋକାନ କରିଥିଲେ । ବ୍ୟବସାୟ ଚାଲିଥିବାବେଳେ ହରି ବନ୍ଧୁମାନଙ୍କ ପିଛା ପ୍ରବଳ ଟଙ୍କା ଖର୍ଚ୍ଚ କରୁଥିବା କହିଛନ୍ତି ତାଙ୍କ ଭିଣୋଇ । ଏଇ ବର୍ଷ ତାଙ୍କର ବାହାଘର ହୋଇଥାଆନ୍ତା । ଏଥିପାଇଁ ପରିବାର ଓ ବନ୍ଧୁବାନ୍ଧବ ଯୋଜନା କରିସାରିଥିଲେ । ୪ ମାସ ତଳେ ସେ ମା’ଙ୍କୁ ନେଇ ଗାଁକୁ ପଳାଇଥିଲେ । ଶନିବାର ହରି ଏକା ପୁରୀ ଫେରିଥିଲେ । ଅପରାହ୍ନରେ ଦୁଇ ବନ୍ଧୁଙ୍କ ସହ ମଙ୍ଗଳା ମୁହାଣ ଯାଇଥିଲେ । ହେଲେ ମୁହାଣରୁ ଆଉ ଫେରିନଥିଲେ ।
ପ୍ରଥମେ ସ୍ୱାମୀ ଓ ପରେ ଏକମାତ୍ର ପୁଅକୁ ହରାଇ ମା’ ଭଗବତୀ ଏବେ ବେସାହାରା ହୋଇପଡିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ ଘଟଣାର ପର୍ଦ୍ଦାଫାଶ୍‌ ହୋଇଯିବ ବୋଲି କହିଛନ୍ତି ଆଇଆଇସି ଚିନ୍ମୟ ରାଉତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.