ପ୍ରେମ ପାଗଳ ବୃଦ୍ଧ ପାଲଟିଲା ହତ୍ୟାକାରୀ : ପୁଅ ସାମ୍ନାରେ ମାକୁ ଟାଙ୍ଗିଆରେ ହାଣିଦେଲା

Published By : Prameya-News7 Bureau | May 26, 2020 IST

କଣିହାଁ ୨୬।୦୫: କଣିହାଁ ଥାନାର ପୋଇପାଳ ଖଜୁରିଆସାହି ରାସ୍ତାରେ ସୋମବାର ସକାଳେ ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ପୁଅ ସହ ମହିଳା ଜଣକ ମଜୁରୀ କାମ କରିବାକୁ ଯାଉଥିଲା ବେଳେ ଜଣେ ବୃଦ୍ଧ ଟାଙ୍ଗିଆରେ ହାଣି ଦେଇଥିଲା । ପ୍ରେମ ନିବେଦନ କରି ବିଫଳ ହେବାରୁ ୬୨ ବର୍ଷୀୟ ଜଣେ ବୃଦ୍ଧ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୁଲିସ ଛାନ୍‌ଭିନ୍‌ ଚଳାଇଥିବା ବେଳେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ସବୁଠାରୁ ବଡ଼ କଥା ହେଲା ଅଭିଯୁକ୍ତ ପୋଇପାଳ ଗ୍ରାମର ଲକ୍ଷ୍ମଣ ସାହୁ (୬୨) ଘଟଣାସ୍ଥଳରୁ ଫେରାର୍‌ ହୋଇ ବ୍ରାହ୍ମଣୀ ନଦୀ ପଠାରେ ଲୁଚିଥିବା ବେଳେ ତା’ ପରିବାର ଲୋକ ତାକୁ ଧରାଇ ଦେଇଛନ୍ତି । ଲୋକଲଜ୍ଜ୍ୟାରୁ ଲକ୍ଷ୍ମଣ ବିଷ ପିଇ ଦେଇଥିଲା । ପୁଲିସ ତାକୁ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୃତ ମହିଳା ଜଣକ ହେଉଛନ୍ତି ନିକଟସ୍ଥ କଣ୍ଟାପାଳ ଗ୍ରାମର ସବିତା ବେହେରା (୩୮) । ସବୁଦିନ ଭଳି ଆଜି ସକାଳ ପ୍ରାୟ ୬ଟା ବେଳେ ନିଜ ଘରୁ ପୋଇପାଳ ଅଭିମୁଖେ ଯାଉଥିଲେ ମୂଲମଜୁରୀ କରିବାକୁ । ସବିତାଙ୍କ ସହ ତାଙ୍କ ପୁଅ ରୁନା (୧୭) ମଧ୍ୟ ମା’ ପଛେ ପଛେ ଯାଉଥିଲା । ପୋଇପାଳ ଖଜୁରିଆ ସାହି ନିକଟରେ ହୋଇଥିବା ବେଳେ ଘର ସମ୍ମୁଖରେ ଛକିଥିବା ଲକ୍ଷ୍ମଣ ହଠାତ୍‌ ଏକ ଟାଙ୍ଗିଆରେ ସବିତାଙ୍କ କାନମୂଳିରେ ପଶା ମାରିଥିଲା । ଅତର୍କିତ ଆକ୍ରମଣରେ ସବିତା ସଂଜ୍ଞା ହରାଇ ତଳେ ପଡ଼ି ଯାଇଥିଲେ । ମୁଣ୍ଡ ପଛ ପାଖରେ ଚୋଟ ପକାଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲା ଲକ୍ଷ୍ମଣ । ଆଖି ଆଗରେ ମା’କୁ ଆକ୍ରମଣ ଦେଖି ଜୀବନ ବିକଳରେ ରୁନା ପଳାଇ ଯାଇଥିଲା । ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ସବିତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଖବର ତ୍ୱରିତ୍‌ ବେଗରେ ଅଞ୍ଚଳରେ ପ୍ରଚାର ହୋଇଯିବା ସହ କୋକୁଆ ଭୟ ଖେଳିଯାଇଥିଲା ।

ହତ୍ୟାକାଣ୍ଡ ଘଟାଇ ଲକ୍ଷ୍ମଣ ନିକଟସ୍ଥ ବ୍ରାହ୍ମଣୀ ନଦୀକୂଳରେ ଲୁଚି ରହିଥିବା ବେଳେ ଘରଲୋକ ସୂଚନା ପାଇ ପୁଲିସକୁ ଧରାଇ ଦେଇଥିଲେ । ଅଭିଯୁକ୍ତ ବିଷ ପିଇ ଦେଇଥିବାରୁ ତାକୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଏବେ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଚିକିତ୍ସାଧୀନ ରହିଛି । ଏ ନେଇ ମୃତ ସବିତାଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଚଳାଇଛି । ପ୍ରେମ ନିବେଦନ କରି ବିଫଳ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଲକ୍ଷ୍ମଣ ଏହି ନାରକୀୟ କାଣ୍ଡ ଘଟାଇଥିବା ଏତଲାରେ ଦର୍ଶାଯାଇଛି । ଏପରିକି ପୂର୍ବରୁ ମଧ୍ୟ ଥରେ ଲକ୍ଷ୍ମଣ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲା ଏବଂ ସବିତାଙ୍କୁ ଦେଖିନେବ ବୋଲି ଧମକଚମକ ଦେଇ ଆସୁଥିଲା ବୋଲି କୁହାଯାଇଛି।

ଅପରାହ୍ଣରେ ଅନୁସନ୍ଧାନକାରୀ ଟିମ୍‌ ଓ ସନ୍ଧାନୀକୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ସହଯୋଗ କରିଥିଲେ । ଅତିରିକ୍ତ ଏସ୍‌ପି ବସନ୍ତ କୁମାର ପ୍ରଧାନ, ପାଳଲହଡ଼ା ଏସ୍‌ଡିପିଓ ଯଶୋବନ୍ତ ସାମଲ, କଣିହାଁ ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଶବ ପଞ୍ଚନାମା ପରେ ସନ୍ଧ୍ୟା ୭ଟା ବେଳେ ଗାଁ’ ଦାଣ୍ଡରୁ ଶବ ଉଠାଇ ବ୍ୟବଚ୍ଛେଦ ନିମନ୍ତେ ତାଳଚେର ଡାକ୍ତରଖାନାକୁ ପଠାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.