ମଦ ବିକ୍ରିକୁ ବିରୋଧରୁ ହତ୍ୟାକାଣ୍ଡ, ଗଣ୍ଡଗୋଳ ପରେ ଯୁବକଙ୍କୁ କଟୁରୀରେ ହାଣିଦେଲେ

Published By : Prameya-News7 Bureau | September 02, 2020 IST

କଟକ ୨।୯: ମଦ ବିକ୍ରିକୁ ବିରୋଧ କରିବାରୁ ହତ୍ୟା । କଟକ ଜିଲ୍ଲା ଚୌଦ୍ବାର ଅଞ୍ଚଳର ବାଣିପଦା ପଞ୍ଚାୟତର ହରିଜନସାହିରେ ଘଟିଛି ଏପରି ବର୍ବର କାଣ୍ଡ । ବେଆଇନ ଭାବେ ମଦ ପ୍ରସ୍ତୁତି ଓ ବିକ୍ରିକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ଚୌଦ୍ବାର ପୋଲିସ୍‌ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ ସରୋଜର ବଡ ଭାଇ ମଣ୍ଟୁ ସାମଲକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ମଦ ବିକ୍ରି ହେଉଥିବା କିଛି ବ୍ୟକ୍ତିଙ୍କ ନାମରେ ଚୌଦ୍ବାର ଥାନାରେ ସ୍ଥାନୀୟ ଅଞ୍ଚଳର କେତେକ ମହିଳା ଅଭିଯୋଗ କରିବାକୁ ଯାଇଥିଲେ । ମହିଳାମାନେ ଅଭିଯୋଗ କରି ସାହିକୁ ଫେରିବା ପରେ ସାହି ଭିତରେ ଗଣ୍ଡଗୋଳ ହୋଇଥିଲା । ବିଳମ୍ବିତ ରାତିରେ ମଦ ବିକ୍ରି କରୁଥିବା ଗୋଷ୍ଠୀର କିଛି ବ୍ୟକ୍ତି ସରୋଜ ନାମକ ଯୁବକଙ୍କୁ ଆକ୍ରମଣ କରିବା ସହିତ କଟୁରୀରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ଦୀର୍ଘ ସମୟ ପର୍ଯ୍ୟନ୍ତ ଛଟପଟ ହେଉଥିଲେ ସରୋଜ ।

ଚୌଦ୍ବାର ପୋଲିସ ଖବର ପାଇ ସରୋଜଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.