ଆଠଗଡ ମହେନ୍ଦ୍ର ମହାନ୍ତି ହତ୍ୟାକାଣ୍ଡ ମାମଲା, ଜଣେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 04, 2020 IST

ଆଠଗଡ ୪।୮: ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମର ମହେନ୍ଦ୍ର ମହାନ୍ତିଙ୍କ ହତ୍ୟାକାଣ୍ଡ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଠଗଡ ପୋଲିସ । ଗତ ମାସ ୩ ତାରିଖ ଦିନ ଆଠଗଡ଼ ଥାନା ବେଣ୍ଟପଦା ଗ୍ରାମର ମହାନ୍ତି ସାହିର ମହେନ୍ଦ୍ର ମହାନ୍ତିଙ୍କ ପୁଅ ମିହିର ମହାନ୍ତି ଏବଂ ଗୋପାଳ ସାହିର ସନ୍ତୋଷ ବେହେରାଙ୍କ ମଧ୍ୟରେ କାର୍ ସାଇଡ୍ କରିବାକୁ ନେଇ ସାମାନ୍ୟ ବଚସା ହୋଇଥିଲା । ଘଟଣାସ୍ଥଳରେ ତାହା ସମାଧାନ ହୋଇଥିଲେ ମଧ୍ୟ ସନ୍ତୋଷ ବେହେରା ଆସି ସାହିରେ କହିବା ପରେ ଗୋପାଳ ସାହିର ସମୀର ବେହେରା, ବିଭୁ ବେହେରା, କାଳନ୍ଦୀ ବେହେରା ଏବଂ ଲିଜତ ବେହେରା ଆସି ମହେନ୍ଦ୍ର ମହାନ୍ତିଙ୍କ ଘର ଆଗରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପାଟିତୁଣ୍ଡ ଶୁଣି ମହେନ୍ଦ୍ର ମହାନ୍ତି ତାଙ୍କ ପୁଅ ମିହିର ଏବଂ ଝିଅ ଭାଗ୍ୟଶ୍ରୀ ଆସି କବାଟ ଖୋଲି ବାହାରକୁ ଆସିବା ପରେ ସଂପୃକ୍ତ ଯୁବକମାନେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

{"id":309551,"sizeSlug":"large"}

ଆକ୍ରମଣରେ ମିହିର ମହାନ୍ତି ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ବାପା ମହେନ୍ଦ୍ରଙ୍କୁ ସଂପୃକ୍ତ ଯୁବକମାନେ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ମହେନ୍ଦ୍ରଙ୍କୁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହେବା ପରେ ପୋଲିସ ଏହି ଗଣ୍ଡଗୋଳର ଅଭିଯୋଗକୁ ହତ୍ୟା କାଣ୍ଡମାମଲାରେ ପରିଣତ କରି ତଦନ୍ତ ଆରମ୍ଭ କରିଥିଲା ।

{"id":309553,"sizeSlug":"large"}

ଘଟଣା ଦିନଠାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଠଗଡ଼ ପୋଲିସ ଢେଙ୍କାନାଳର ଏକ ଫାର୍ମ ହାଉସରେ ଲୁଚି ରହିଥିବା କାଳନ୍ଦୀ ବେହେରାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏ ବାବଦରେ ଅଭିଯୁକ୍ତମାନଙ୍କୁ ଗିରଫ କରୁ ନଥିବା ଯୋଗୁଁ ଆଠଗଡ଼ ପୋଲିସକୁ ବିଭିନ୍ନ ମହଲରେ  ସମାଲୋଚନା କରାଯାଉଥିଲା । ତେବେ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ଥାନା ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.