ବାହା ହେବାକୁ ରାଜି ହେଲାନି ପ୍ରେମିକ, ସୁପାରୀ ଦେଇ ହତ୍ୟା କଲା ପ୍ରେମିକା : କିଲର୍ ସହ ସେକ୍ସ ପାଇଁ ହୋଇଥିଲା ଚୁକ୍ତି !
28/02/2021 at 12:51 PM

ନାଗପୁର,୨୮/୦୨: ପ୍ରଥମେ ପ୍ରେମ ଓ ପ୍ରତିଶ୍ରୁତି । ପରେ ପ୍ରତାରଣାର କରୁଣ ପରିଣତି । ମହାରାଷ୍ଟ୍ରର ନାଗପୁରରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ପ୍ରେମିକ ନିଜର ୨୦ ବର୍ଷୀୟା ପ୍ରେମିକାକୁ ବିବାହ ପ୍ରତିଶ୍ରୁତି ଦେଇ ବିବାହ ନ କରିବାରୁ ଯୁବତୀ ଜଣକ ନିଜ ପ୍ରେମିକଙ୍କୁ ହତ୍ୟା କରିଛନ୍ତି । ପ୍ରେମିକଙ୍କ ବନ୍ଧୁ ତଥା ତାଙ୍କର ଦୂର ସମ୍ପର୍କୀୟ ଭରତ ଗୁଜରଙ୍କୁ ଦେଢ଼ ଲକ୍ଷ ଟଙ୍କାର ସୁପାରୀ ଦେଇ ଯୁବତୀ ହତ୍ୟା ଯୋଜନାକୁ ସଫଳ କରିଥିଲେ । ପ୍ରେମିକକୁ ହତ୍ୟା କରିବା ପରେ ଯୁବତୀ ଜଣକ ଭରତଙ୍କ ସହ ସେକ୍ସ କରିବେ ବୋଲି ମଧ୍ୟ ଚୁକ୍ତି କରିଥିଲେ ।
ତେବେ ଫେବୃଆରୀ ୨୫ରେ ଭରତ ପ୍ରେମିକ ଚନ୍ଦୁ ମହାପୁରଙ୍କୁ ହତ୍ୟା କରିଥିଲେ । ମାତ୍ର ୨ ଦିନ ମଧ୍ୟରେ କ୍ରାଇମ ବ୍ରାଞ୍ଚ ଟିମ୍ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଭରତଙ୍କ ସମେତ ଚନ୍ଦୁଙ୍କ ପ୍ରେମିକା ତଥା ହତ୍ୟା ପାଇଁ ସୁପାରୀ ଦେଇଥିବା ଯୁବତୀ ଏବଂ ଯୁବତୀଙ୍କ ପିତାମାତାଙ୍କୁ ଗିରଫ କରିଛି ପୋଲିସ । କାରଣ ପିତାମାତା ମଧ୍ୟ ହତ୍ୟା ଯୋଜନାରେ ସାମିଲ ଥିଲେ ବୋଲି ପୋଲିସ କହିଛି ।
ପୋଲିସର କହିବାନୁସାରେ, ଏକାସାଙ୍ଗରେ ମଦ୍ୟପାନ କରିବାର ପ୍ରଲୋଭନ ଦେଖାଇ ଭରତ ଚନ୍ଦୁଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ନେଇଯାଇଥିଲା । ଉଭୟ ଗୋଟିଏ ବାଇକ୍ରେ ଏକାଠି ଯାଇଥିଲେ । ସେଠାରେ ଭରତ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେବା ସହ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ସେ ଚନ୍ଦୁଙ୍କ ମୃତଦେହକୁ ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ କ୍ରସର ମାଇନ ମଧ୍ୟକୁ ଫିଙ୍ଗି ଦେଇଥିଲା । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଭରତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଉଭୟ ଏକାସାଙ୍ଗରେ ବାଇକ୍ରେ ଯାଉଥିବାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଚନ୍ଦୁ ଓ ଭରତଙ୍କ ମଧ୍ୟରେ ପୂର୍ବରୁ କେତେକ ଆର୍ଥିକ ବିବାଦ ଥିବାରୁ ଭରତ ନିଜର ପୂର୍ବ ଶତ୍ରୁତାକୁ ଦୃଷ୍ଟିରେ ରଖି ହତ୍ୟା କରିବାକୁ ଆଗ୍ରହୀ ହୋଇଥିବା ପୋଲିସ ଆଗରେ ମାନିଥିଲା ।