ଯୌତୁକ ପାଇଁ ଗଲା ଜୀବନ ! ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

Published By : Prameya-News7 Bureau | July 18, 2020 IST

ଭଞ୍ଜନଗର ୧୮।୦୭: ସ୍ତ୍ରୀକୁ ନୃଶଂସଭାବେ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଥିବା ଅଭିଯୋଗ । ମୃତକ ଭଞ୍ଜନଗର ଥାନା ଅନ୍ତର୍ଗତ ଅଢ଼େଇ ଗ୍ରାମର ଡାକ ଓରଫ ଅନ୍ତର୍ଯ୍ୟାମୀ ଗୌଡ଼ଙ୍କ ସ୍ତ୍ରୀ ରଶ୍ମିତା । ଗତାକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । । ରଶ୍ମିତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଭାଇ କୃଷ୍ଣଚନ୍ଦ୍ର ଗୌଡ଼ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଅନ୍ତର୍ଯ୍ୟାମୀ ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମର ରଶ୍ମିତାଙ୍କୁ ୧୬ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ୨ଟି ପୁଅ ଓ ଗୋଟିଏ ୬ ବର୍ଷର ଝିଅ ରହିଛନ୍ତି । ଗୁରୁବାର ରାତିରେ ରଶ୍ମିତା ସ୍ୱାମୀ ଅନ୍ତର୍ଯ୍ୟାମୀ ଛୋଟ ଝିଅ ସହ ଗୋଟିଏ ରୁମ୍‌ରେ ଶୋଇଥିଲେ । ରାତି ଅଧରେ ରଶ୍ମିତାଙ୍କ ଚିତ୍କାର ଶୁଣି ଘର ଲୋକ ଉଠି ପଡ଼ିଥିଲେ । ଦେଖିଲେ, ଛୋଟ ଝିଅଟି ମାଆକୁ ଜାବୁଡି ଧରି କାନ୍ଦୁଥିବାବେଳେ ଅନ୍ତର୍ଯ୍ୟାମୀ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଶ୍ମିତାଙ୍କୁ ଶାଶୂ ପଡ଼ୋଶୀଙ୍କ ସହଯୋଗରେ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତାଙ୍କ ମୃତ୍ୟୁ ହୋଇଛି । ରଶ୍ମିତାଙ୍କ ଭାଇ କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ରିପୋର୍ଟ ଆଧାରରେ ବେଲଗୁଣ୍ଠା ଫାଣ୍ଡି ପୁଲିସ ଭଞ୍ଜନଗର ଡାକ୍ତରଖାନାରେ ଶବକୁ ଜବତ କରିବା ସହ ହତ୍ୟା ମାମଲା ରୁଜୁ କରିଛି । ଅଭିଯୁକ୍ତ ସ୍ୱାମୀ ଅନ୍ତର୍ଯ୍ୟାମୀଙ୍କୁ ଧରିବାକୁ ପୋଲିସ ଛାନଭିନ୍‌ ଜାରି ରଖିଛି ।

କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ, ୧୬ବର୍ଷ ହେଲା ଭଉଣୀର ବାହା ହୋଇଥିଲେ ମଧ୍ୟ ଅଧିକ ୫ଲକ୍ଷ ଟଙ୍କା ଯୌତୁକ ପାଇଁ ସ୍ୱାମୀ ଅନ୍ତର୍ଯ୍ୟାମୀ ଧମକ ଦେଉଥିଲେ । ଯୌତୁକ ଜନିତ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନା ଆଉ କଣ କାରଣ ରହିଛି ଏହାର ପୁଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.