ବ୍ୟବସାୟୀ କୁଶ ଭାରତୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ : ସ୍ୱାମୀ ଶୋଇଥିବା ବେଳେ ପ୍ରେମିକ ସହ ମିଶି ପୋଡି ମାରିଦେଇଥିଲେ ପତ୍ନୀ, ପୁରୁଷ ବନ୍ଧୁ ଗିରଫ

Published By : Prameya-News7 Bureau | September 20, 2021 IST

ବାଲେଶ୍ୱର ୨୦।୦୯: ବାଲେଶ୍ବରର ବିଶିଷ୍ଟ ବ୍ୟବସାୟୀ କୁଶ ଭାରତୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ତାଙ୍କ ପତ୍ନୀ ଓ ପତ୍ନୀଙ୍କ ପ୍ରେମିକ ମିଶି କୁଶଙ୍କୁ ନିଆଁରେ ପୋଡି ମାରି ଦେଇଥିବା ତଦନ୍ତରୁ ଜଣାପଡିଛି । ପତ୍ନୀଙ୍କ ପ୍ରେମିକ ବାପି ଓରଫ ଲକ୍ଷ୍ମୀଧର ଜେନାକୁ ପୋଲିସ ଗିରଫ କରିଥିବା ବେଳେ କୁଶଙ୍କ ପତ୍ନୀ ଫେରାର ଅଛନ୍ତି । ରାତିରେ କୁଶ ଘରେ ଶୋଇଥିବା ବେଳେ ତାଙ୍କ ଦେହରେ ନିଆଁ ଲଗାଇ ଦେଇ ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ ପତ୍ନୀ ଏବଂ ତାଙ୍କ ପ୍ରେମିକ। ଯୋଜନାବନ୍ଧ ଭାବେ କୁଶକୁ ହତ୍ୟା କରାଯାଇଥିବା ପୋଲିସ କହିଛି ।

ଖବର ଅନୁଯାୟୀ, ସେଦିନ ଥିଲା ୨୦୧୯ ଡିସେମ୍ବର ୩ ତାରିଖ । ଶୀତ ରାତି, କୁଶ ଭାରତୀ ତାଙ୍କ ନିଜ ଘରେ ଶୋଇଥିଲେ ।  ବାଲେଶ୍ବର ସଦର ଥାନା ସୁନ୍ଦୁରୀ ଗାଁରେ ଥିବା ତାଙ୍କ ଘରେ ସେ CCTV ଲଗାଇଥିଲେ । ତେବେ ସେଦିନ CCTVକୁ ଅଚଳ କରିଦେଇଥିଲେ ତାଙ୍କ ପତ୍ନୀ ଓ ପତ୍ନୀଙ୍କ ବୟ ଫ୍ରେଣ୍ଡ । ଆଉ ଶୋଇଥିବା ବେଳେ କୁଶଙ୍କ ଦେହରେ ନିଆଁ ଲଗାଇ ଦେଇ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ । ପୂରା ନାଟକ ରଚିଥିଲା କୁଶଙ୍କ ପତ୍ନୀଙ୍କ ବନ୍ଧୁ  ବାପି ଓରଫ ଲକ୍ଷ୍ମୀଧର ଜେନା । ତାକୁ ପୋଲିସ ଗିରଫ କରିବା ପରେ ପୂରା ଘଟଣା ଉପରୁ ପରଦା ଉଠିଛି । ତେବେ କୁଶଙ୍କ ପତ୍ନୀ ଫେରାର ହୋଇଯାଇଛନ୍ତି ।

ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ବଦଳିଯାଇଛି । ଆଗରୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁକରି ବସିଯାଇଥିଲା, କାରଣ  ଘରର କୌଣସି ଆସବାବପତ୍ର ପୋଡି ନଥିଲା,  କେବଳ କୁଶ ପୋଡି ଯାଇଥିଲେ ।  ସେଦିନ ସ୍ବାମୀକୁ ରକ୍ଷା କରିବାକୁ ଯାଇ ହାତ ପୋଡି ଯାଇଥିବା କହିଥିଲେ ପତ୍ନୀ । ତେବେ ମୃତ୍ୟୁର ଦଶ ଦିନ ପରେ କୁଶଙ୍କ ଭାଇ ବାଲେଶ୍ବର ସଦର ଥାନାରେ ହତ୍ୟା  ଅଭିଯୋଗ କରିଥିଲେ । ଏହାପରେ ମଧ୍ୟ ପୋଲିସ ବିଶେଷ ଖୋଳତାଡ କରିନଥିଲା । ଏଭିତରେ ଥାନାରେ ଦୁଇ ଜଣ IIC ବଦଳି ଯାଇଥିଲେ । ଏବେ ବାଲେଶ୍ବର ସଦର ଥାନାର ନୂଆ IIC ଭାବରେ ଅଶୋକ ନାୟକ ଯୋଗଦେବା ପରେ ଫାଇଲକୁ ରିଓପନ କରିଥିଲେ । ଆଉ ଅପମୃତ୍ୟୁ ମାମଲା ଉପରୁ ପରଦା ହଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.